
ଭୁବନେଶ୍ବର: ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଯାଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ରାଜ୍ୟରେ ୫ଟି ନୂଆ ମହିଳା ଏନ. ସି. ସି. ବାଟାଲିୟନ ଖୋଲିବାକୁ ଯାଉଛି । ଏହା ସହିତ ସ୍କୁଲ ଶିକ୍ଷାରେ ସାମିଲ ହେବ ‘ମିଶନ ଲାଇଫ୍’ । ଯାହାଫଳରେ ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ ।
୫ ନୂଆ ମହିଳା ଏନସିସି ବାଟାଲିଅନ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ମାନବସମ୍ବଳ ଏବଂ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ରହିଥିବା ସମୟସୀମା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ପାଇଁ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ ।
ରାଜ୍ୟରେ ବର୍ତ୍ତମାନ ଏନସିସି କ୍ୟାଡେଟ ସଂଖ୍ୟା ୬୩ ହଜାର ରହିଥିବା ବେଳେ ଏହାକୁ ୯୦ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂଆ ମହିଳା ଏନସିସି ବାଟାଲିଅନ୍ ସ୍ଥାପନ ମାଧ୍ୟମରେ ଏନସିସିରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ । ଏଥିସହ ସହିତ କ୍ୟାଡେଟ୍ମାନଙ୍କର ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଧ୍ୟାନ ଦିଆଯିବ । ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ନେତୃତ୍ବର ବିକାଶ ଏବଂ ଯୁବବର୍ଗଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରାଯିବ ।