
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇ ଓଡ଼ିଶା କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ଯୋଜନା, OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ ଫଣ୍ଡ, ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ବଲାଙ୍ଗିର ଜିଲ୍ଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟ କ୍ୟାବିନେଟ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର ପ୍ରକଳ୍ପକୁ ମଞ୍ଜୁରି ଦେଇଛି । ଏଥିପାଇଁ ୧୦୫ କୋଟି ୬୨ ଲକ୍ଷ ୩୩ ହଜାର ୯୬୦ ଟଙ୍କାର ଟେଣ୍ଡର ଅନୁମୋଦନ ହୋଇଛି । ସଇଁତଳା ବ୍ଲକର ତୁଷ୍ଟାପାଲି ଗାଁ ନିକଟରେ ଲାନ୍ଥ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ ହେବ । ୩୦ ମାସ ମଧ୍ୟରେ କାମ ଶେଷ କରିବା ଲକ୍ଷ୍ୟ ରହିଛି । ଏହା ଦ୍ୱାରା ସଇଁତଳା ବ୍ଲକର ୧୨ଟି ମରୁଡ଼ିପ୍ରବଣ ଗାଁକୁ ବର୍ଷସାରା ପାନୀୟ ଜଳ ଯୋଗାଣ ସହ ଭୂତଳ ଜଳସ୍ତର ବୃଦ୍ଧି ଓ କୃଷି, ମତ୍ସ୍ୟଚାଷ ଏବଂ ପଶୁପାଳନ କ୍ଷେତ୍ରରେ ଜଳ ସୁରକ୍ଷା ମିଳିବ ।








