ରାଜ୍ୟ ଯୋଜନା ବୋର୍ଡ ହେଲା ‘ସିଟି-ଓଡ଼ିଶା’

ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା SITI-Odisha’ର ସ୍ଥାପନ କରିଛନ୍ତି। ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୨୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ମୋହନ ସରକାର ଏହି ‘ସିଟି-ଓଡ଼ିଶା’ ଗଠନ କରି ରାଜ୍ୟରେ ପ୍ରଶାସନିକ ରଣନୀତି, ପ୍ରମାଣଭିତ୍ତିକ ନୀତି-ଯୋଜନା ପ୍ରଣୟନ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ନେଇ ଆଗକୁ ବଢ଼ିବା ସହ ବିକାଶର ଧାରାରେ ଏକ ବଡ଼ଧରଣର ରୂପାନ୍ତର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏପ୍ରିଲ ୧୭ତାରିଖରେ ‘ସଂକଳ୍ପ’ ଜାରି ମାଧ୍ୟମରେ ସିଟି-ଓଡ଼ିଶା ଗଠନକୁ ମୋହନ ସରକାର ବାସ୍ତବ ରୂପ ଦେଇଛନ୍ତି ।
ଦୀର୍ଘ ପ୍ରାୟ ୫ଦଶନ୍ଧି ଧରି ରାଜ୍ୟର ବିକାଶ ଯୋଜନା ଓ ନୀତି ଆଦି ପ୍ରଣୟନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିଲା ‘ରାଜ୍ୟ ଯୋଜନା ବୋର୍ଡ’। ମାତ୍ର ପୂର୍ବ ବିଜେଡି ସରକାର ଏହି ଯୋଜନା ବୋର୍ଡକୁ କେବଳ ରାଜନୀତିକ ଥଇଥାନ କେନ୍ଦ୍ର ଓ ଅପଙ୍ଗୁ କରିି ଏହାର ବାସ୍ତବ ଲକ୍ଷ୍ୟଠୁ ଦୂରେଇ ଯାଇଥିଲେ । ରାଜ୍ୟରେ ମୋହନ ମାଝୀ(CM Mohan Majhi)ଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ପରିବର୍ତ୍ତିତ ସମୟ, ଜଟିଳ ଆର୍ଥିକ ଆହ୍ୱାନ ଓ ନାଗରିକଙ୍କ ଆଶାଆକାଂକ୍ଷାକୁ ଦୃଷ୍ଟିରେ ରଖି ୨୦୨୪ ଜୁଲାଇ ୧୮ତାରିଖରେ ଏହି ବୋର୍ଡକୁ ଭଙ୍ଗ କରିଦେଇଥିଲେ। ଆଉ ନିତି ଆୟୋଗ ମଧ୍ୟ ୨୦୨୩ ଜୁଲାଇ ୬ତାରିଖରେ ଜାରି କରିଥିବା ‘ରାଜ୍ୟ ସହାୟତା ମିଶନ’ ଗାଇଡଲାଇନକୁ ଆଧାର କରି ଏହି ‘SITI-Odisha’ ଗଠନ ପାଇଁ ପଦକ୍ଷେପ ନେଇଥିଲେ।ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ମୋହନ ସରକାର ଏହି ‘SITI-Odisha’ ମାଧ୍ୟମରେ ରାଜ୍ୟ ଏକ ନୂଆ ରଣନୀତିକ ଯୁଗରେ ପ୍ରବେଶ କରିଥିବାର ସଙ୍କେତ ଦେଇଛନ୍ତି । ଏହା କେବଳ ସରକାରୀ ନୀତି ନିର୍ଦ୍ଧାରକ ସଂସ୍ଥା ବା ଥିଙ୍କ ଟ୍ୟାଙ୍କ୍ ହେବ ନାହିଁ ବରଂ ଓଡ଼ିଶାର ବିକାଶକୁ ଫୁଲ୍ ସ୍ପିଡରେ ଆଗେଇ ନେବା ପାଇଁ ଏକ ବିଶ୍ୱସ୍ତରୀୟ ବିଶେଷଜ୍ଞ ଓ ଆଧୁନିକ ଜ୍ଞାନକୌଶଳର ଏକ ମହାମିଳନ କେନ୍ଦ୍ର ସାଜିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।

ସିଟି-ଓଡ଼ିଶା କୌଣସି କେବଳ ଗୋଟିଏ ସରକାରୀ ସଂସ୍ଥା ନୁହେଁ, ବରଂ ଏହା ରାଜ୍ୟର ସର୍ବୋଚ୍ଚ ରଣନୈତିକ ଓ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ। ଏହି ‘SITI-Odisha’ର ସାଂଗଠନିକ ଢ଼ାଂଚାକୁ ଅତ୍ୟନ୍ତ ଶକ୍ତିଶାଳୀ କରାଯାଇଛି ଯେଉଁଥିରେ ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ପରିଚାଳନା ପରିଷଦ ଅଧ୍ୟକ୍ଷ ଭାବେ ଭାର୍ଯ୍ୟ କରିବେ। ଆଉ ମୁଖ୍ୟମନ୍ତ୍ରୀ ଦ୍ୱାରା ଚୟନିତ ବ୍ୟକ୍ତିଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବ। ଏହି ପରିଷଦରେ ରାଜ୍ୟ ସରକାରଙ୍କ ପ୍ରାଥମିକତା କ୍ଷେତ୍ରର ଏକ୍ସପର୍ଟ ଭାବେ ପରିଚିତ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ କରାଯିବ, ଯାହାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ। ପରିଷଦରେ ରାଜ୍ୟ ଉନ୍ନୟନ କମିଶନର ସଦସ୍ୟ ସଚିବ ଓ ଜଣେ ବରିଷ୍ଠ ଆଇଏଏସ ଅଫିସରଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିବ। ଏମାନଙ୍କ ବ୍ୟତୀତ ବିଭିନ୍ନ ବିଭାଗରୁ ନଅ ଜଣ ପଦାଧିକାରୀ ମଧ୍ୟ ସଦସ୍ୟ ଓ ପ୍ରତିଷ୍ଠିତ ଅନୁଷ୍ଠାନର ଦୁଇଜଣ ବିଶେଷଜ୍ଞଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯିବ।
ରାଜ୍ୟର ବିକାଶର ପ୍ରାଥମିକତାକୁ ସୁବ୍ୟବସ୍ଥିତ କରିବା ପାଇଁ SITI-Odishaର କାର୍ଯ୍ୟକୁ ୬ଟି ସ୍ୱତନ୍ତ୍ର ବିଷୟଗତ କ୍ଷେତ୍ର ବା ଭର୍ଟିକାଲରେ ବିଭକ୍ତ କରାଯାଇଛି। ଏଥିରେ ଅର୍ଥନୀତି ଓ ଅର୍ଥ, ଗ୍ରାମୀଣ ଅର୍ଥନୀତି ଓ ଜୀବିକା, ନିଯୁକ୍ତି ଓ ସହରାଂଚଳ ବିକାଶ, ଚିନ୍ତାଧାରା ଓ ନବୋନ୍ମେଷ, ଊର୍ଜା ପରିବର୍ତ୍ତନ, ପରିବେଶ ଓ ଜଙ୍ଗଲ, ଖଣି ଓ ପ୍ରାକୃତିକ ସମ୍ପଦ ରହିଛି। ପ୍ରତ୍ୟେକ ଭର୍ଟିକାଲ ଜଣେ ଜଣେ ପ୍ରୋଗ୍ରାମ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ପରିଚାଳିତ ହେବ। ଏହାବ୍ୟତୀତ ଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବା ପାଇଁ ସିଟି-ଓଡ଼ିଶା ଅଧୀନରେ ‘ରାଜ୍ୟ ତଦାରଖ ଏବଂ ମୂଲ୍ୟାଙ୍କନ କାର୍ଯ୍ୟାଳୟ’ ଏକ ସଂଲଗ୍ନ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବ। ସିଟି-ଓଡ଼ିଶାର ସଠିକ ପରିଚାଳନା ପାଇଁ ଜଣେ ପ୍ରୋଗ୍ରାମ ଡାଇରେକ୍ଟର, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ୟୁନିଟ ଓ ପ୍ରଶାସନିକ ଶାଖା କାର୍ଯ୍ୟ କରିବ। ଏହି କାର୍ଯ୍ୟାଳୟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଡାଟା ଆନାଲିଟିକ୍ସ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ବିଭିନ୍ନ ବିଭାଗର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବା ସହ ଏହାର ପ୍ରଭାବକୁ ପରଖିବା ଦିଗରେ ମଧ୍ୟ କାର୍ଯ୍ୟ କରିବ। ଯାହାଫଳରେ ପ୍ରଶାସନରେ ସ୍ୱଚ୍ଛତା ଓ ସଠିକତା ବୃଦ୍ଧି ପାଇବ।SITI-Odisha କେବଳ ସରକାରଙ୍କ ଭିତରେ ସୀମିତ ନ ରହି ଏହା ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ, ଗବେଷଣା ସଂସ୍ଥା ଓ ଘରୋଇ କ୍ଷେତ୍ରର ସହଭାଗୀମାନଙ୍କ ସହ ହାତ ମିଳାଇ ବିଶ୍ୱସ୍ତରୀୟ ଜ୍ଞାନ କେନ୍ଦ୍ର-ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଓ ଡିଜିଟାଲ ପ୍ରଶାସନ ଭଳି କ୍ଷେତ୍ରରେ ଏହା ବୈଷୟିକ ପରାମର୍ଶ ଦେବା ସହ ଜିଲ୍ଲା ସ୍ତରରେ ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣକୁ ମଜବୁତ କରିବ। ସରକାରଙ୍କ ଏହି ସଂକଳ୍ପ ଅନୁଯାୟୀ, ‘ଭବିଷ୍ୟତ ହେଉଛି ଆମେ ସୃଷ୍ଟି କରୁଥିବା ଜିନିଷ’, ଯାହା ଆଗାମୀ ଦିନରେ ଓଡ଼ିଶାର ବିକାଶ କାହାଣୀକୁ ଏକ ନୂଆ ରୂପ ଦେବ। ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ପାଳନବେଳେ ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟକୁ ହାସଲ ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ରହିବ ଓ ଓଡ଼ିଶା ଗେଜେଟରେ ପ୍ରକାଶ ପାଇବା ଦିନଠୁ ହିଁ କାର୍ଯ୍ୟକାରୀ ହେବ ବୋଲି ‘ସଂକଳ୍ପ’ରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବଜେଟ୍ ଅଭିଭାଷଣରେ ନିତି ଆୟୋଗ ଢ଼ାଂଚାରେ ଏହି ‘ସିଟି ଓଡ଼ିଶା’ ଗଠନର ସୂଚନା ଦେଇଥିଲେ। ଯାହାକି ରାଜ୍ୟର ଦୀର୍ଘକାଳୀନ ରଣନୈତିକ ଯୋଜନା ପ୍ରସ୍ତୁତ କରିବା ସହ ପ୍ରଶାସନିକ ସଂସ୍କାରକୁ ବାସ୍ତବ ରୂପ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ।ସେହିପରି ରାଜ୍ୟରେ ଏକ ‘ଅର୍ଥନୈତିକ ପରାମର୍ଶଦାତା ପରିଷଦ’ ଗଠନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଯାହାକି ପ୍ରଧାନମନ୍ତ୍ରୀଙ୍କ ଆର୍ôଥକ ପରାମର୍ଶଦାତା ପରିଷଦ ଭଳି ଓଡ଼ିଶାରେ କାର୍ଯ୍ୟ କରିବ ଓ ରାଜ୍ୟର ପ୍ରମୁଖ ଆର୍ôଥକ ଏବଂ ନୀତିଗତ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବ।

  • Related Posts

    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading
    ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

    ଭୁବନେଶ୍ୱର: ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ୟ୍ୟନ୍ତ ରଥଯାତ୍ରା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ