
ନୂଆଦିଲ୍ଲୀ : ଦୀପାବଳି ଏବଂ ଅନ୍ୟ ପାର୍ବଣ ଋତକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏକାସଙ୍ଗେ ଯିବା ଏବଂ ଆସିବା ଟିକଟ ବୁକିଂ କଲେ ୨୦ ପ୍ରତିଶତ ରିଆତି ମିଳିବ ବୋଲି ଘୋଷଣା କରାଯାଇଛି। ତେବେ ଏହି ରିଆତି କେବଳ ରିଟର୍ଣ୍ଣ ଟିକଟ ଉପରେ ଦିଆଯିବ। ଘରକୁ ଯାଇ ପୁଣି ଟ୍ରେନରେ ଫେରିବାକୁ ଚାହୁଁଥିବା ଲୋକେ ଏହି ଯୋଜନାରେ ବେଶ୍ ଉପକୃତ ହେବେ। ପାର୍ବଣ ଋତୁରେ ଟିକଟ ପାଇଁ ଭିଡ଼ ଏବଂ ଲୋକଙ୍କ ସମସ୍ୟାକୁ ଦେଖି ପରୀକ୍ଷାମୂଳକ ଭାବେ ଏହି ନିଷ୍ପତ୍ତି ନିଆଯାଇଛି।
ଯଦି କେହି ଅହମଦାବାଦ ଏକ୍ସପ୍ରେସରେ ପାଟନା ଯାଆନ୍ତି ଏବଂ ଏହି ଯୋଜନାର ଲାଭ ଉଠାଇବାକୁ ଚାହାନ୍ତି, ତେବେ ସେଠାରୁ ଫେରୁଥିବା ଏହି ଟ୍ରେନରେ ଟିକଟ କାଟିବାକୁ ହେବ। ସେହିପରି ଟିକଟରେ ଦିଆଯାଇଥିବା ସବୁ ସୂଚନା ମଧ୍ୟ ସମାନ ହେବା ଉଚିତ। ଅର୍ଥାତ୍ କେଉଁଠାରୁ କେଉଁଠିକୁ ଯିବେ, ଯାତ୍ରୀଙ୍କ ନାମ, ବୟସ ଏବଂ କେଉଁ ଶ୍ରେଣୀ ଆଦି ଟିକଟରେ ସମାନ ହେବା ଉଚିତ। ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୩ରୁ ଅକ୍ଟୋବର ୨୬ ପର୍ୟ୍ୟନ୍ତ କରାଯାଉଥିବା ଟିକଟ ଏବଂ ଫେରିବା ପାଇଁ ନଭେମ୍ବର ୧୭ରୁ ଡିସେମ୍ବର ୧ ପର୍ୟ୍ୟନ୍ତ ଟିକଟ ବୁକିଂ କରିବାକୁ ହେବ। ଏଥିପାଇଁ ଅଗଷ୍ଟ ୧୪ରୁ ବୁକିଂ ଆରମ୍ଭ ହେବ।