
ଭୁବନେଶ୍ୱର : ଉଛୁଳୁଛି ସୁବର୍ଣ୍ଣରେଖା ଓ ବୈତରଣୀ ନଦୀ। ଦୁଇ ନଦୀର ଜଳସ୍ତର ବଢ଼ିବା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କେନ୍ଦୁଝର, ବାଲେଶ୍ୱର, ଭଦ୍ରକର ଅନେକ ଗାଁ ପାଣି ଘେରରେ ରହିଛି। ଲଗାଣ ବର୍ଷାରେ ରାଉରକେଲାର ବହୁ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ। ଏହା ପ୍ରଭାବରେ ୨୯ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସୋମବାର କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ କନ୍ଧମାଳ ଓ ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ ଓ କେନ୍ଦୁଝରରେ ଭାରୀ ବର୍ଷା ଆଶଙ୍କା ଅଛି । ୨୭ ଓ ୨୮ ତାରିଖରେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।




