
କଟକ: ଲୋକଭବନରେ ଦୁଇ ଆୟକର ଅଧିକାରୀଙ୍କୁ ଦୁର୍ବ୍ଯବହାର ଘଟଣାକୁ ଅତି ଗୁରୁତର ଭାବେ ନେଇଛି ଓଡିଶା ପୋଲିସ। ଏହି ଘଟଣାରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ।ପୁଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ କହିଛନ୍ତି ‘‘ପୋଲିସ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି। ଘଟଣାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେଵେ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସ୍ପଷ୍ଟ ଜଣା ପଡିବ’’ ।
ମାତ୍ର ଉଭୟ ଅଧିକାରୀଙ୍କୁ ଲୋକସେବା ଭବନ ଲବିରେ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇ ଅଧିକାରୀ ଆୟକର କମିଶନରଙ୍କ ପ୍ରତ୍ୟକ୍ଷ ମାଗଦର୍ଶନରେ କାର୍ଯ୍ୟ ତୁଲାଉଥିଲା ବେଳେ ଲୋକଭବନରେ ବେଆଇନ ପ୍ରବେଶକାରୀ ଭାବେ ଚିତ୍ରଣ କରାଯାଇ ରାଜ୍ୟପାଳଙ୍କ ଏଡିସିଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଭ୍ୟାନ୍ରେ ବସାଇ କ୍ୟାପିଟାଲ ଥାନାକୁ ନିଆଯାଇଥିଲା। ଏପରିକି ଉଭୟଙ୍କ ବିରୋଧରେ ମଦ୍ୟପାନ ଅଭିଯୋଗ ଅଣାଯାଇଥିଲା ଯାହା କି ପରଵର୍ତ୍ତୀ ସମୟରେ ଥାନାରେ ଭିତ୍ତିହୀନ ପ୍ରମାଣିତ ହୋଇଥିଲା। ଏହି ଘଟଣାକୁ ନେଇ ମୁଖ୍ୟ ଆୟକର କମିସନର ଡି.ସୁଧାକର ରାଓ ଅସନ୍ତୋଷ ବ୍ୟକ୍ତ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଏପରି ଆଚରଣ ବିଭାଗୀୟ ମର୍ଯ୍ୟାଦା ପ୍ରତି ଆଞ୍ଚ ଆଣିଛି ବୋଲି ଅଭିଯୋଗ କରିଥିଲେ । ଏ ନେଇ ସେ ରାଜ୍ୟପାଳଙ୍କ ସଚିବଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ଗୁରୁବାର ଦିନ ରାଜ୍ୟପାଳଙ୍କ ସହ ଆୟକର ବିଭାଗ ଅଧିକାରୀଙ୍କ ଏକ ପ୍ରତିନିଧି ଦଳର ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତ ସମୟରେ ସମନ୍ବୟ ରକ୍ଷା ଦାୟିତ୍ବ ଆୟକର ବିଭାଗର ଦୁଇ ଆଇଆର୍ଏସ୍ ଅଧିକାରୀ ମନିଷ କୁମାର ଓ ସତ୍ୟ ପ୍ରକାଶ ମିଶ୍ରଙ୍କୁ ମିଳିଥିଲା। ସୌଜନ୍ୟମୂଳକ ସାକ୍ଷାତ ପାଇଁ ୫ ଜଣ ଅଧିକାରୀଙ୍କୁ ଅନୁମତି ମିଳିଥିଲା । ହେଲେ ଏହି ଦୁଇ ଅଧିକାରୀଙ୍କ ପାଇଁ କୌଣସି ଅନୁମତି ନଥିଲା। ସେମାନେ ବିନା ଅନୁମତିରେ ପ୍ରବେଶ କରିବା ପରେ ସେଠାରେ ଦାୟିତ୍ବରେ ଥିବା ନାଭାଲ୍ ଅଧିକାରୀ ପ୍ରଶ୍ନ କରିଥିଲେ।
ଯାହାକୁ ନେଇ ଦୁଇ ଅଧିକାରୀ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ସ୍ଥିତି ବିଗିଡ଼ିବାରୁ ନାଭାଲ୍ ଅଧିକାରୀ ଜଣଙ୍କ ପିସିଆର୍ ଭ୍ୟାନ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇବା ପରେ ଉଭୟଙ୍କୁ ଥାନାକୁ ନିଆଯାଇଥିଲା।




