ଶୀତ ଅଧିବେଶନରେ ସପ୍ଲିମେଣ୍ଟାରୀ ବଜେଟ ଆଣିବେ ମୋହନ ସରକାର; ସମସ୍ତ ବିଭାଗକୁ ପ୍ରସ୍ତାବ ମାଗିଲେ ଅର୍ଥ ସଚିବ

ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବ୍ୟୟ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ସପ୍ଲିମେଣ୍ଟାରୀ ଷ୍ଟେଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର୍‌ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ବିଭାଗର ନୂଆ ଯୋଜନା, ଅତିରିକ୍ତ ଆବଶ୍ୟକତା ଓ ଅନୁମୋଦିତ କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ବଜେଟ ବ୍ୟବସ୍ଥା କରାଯିବ । ଏଥିରେ ରାଜ୍ୟର ବିକାଶମୂଳକ କାର୍ଯ୍ୟ, ଯୋଜନା କାର୍ଯ୍ୟାନ୍ୱୟନ ଓ ବିଭାଗୀୟ ଆର୍ଥିକ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଇଛି ।୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଣିବେ ମୋହନ ସରକାର । ଅତିରିକ୍ତ ବଜେଟ ପ୍ରସ୍ତୁତି ନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିଭାଗଗୁଡ଼ିକର ନୂତନ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ, ଜନକଲ୍ୟାଣମୂଳକ ପଦକ୍ଷେପ ଓ ଅତିରିକ୍ତ ଆର୍ଥିକ ଆବଶ୍ୟକତାକୁ ବିଚାର କରି ବଜେଟ୍ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି । ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଆଧାରରେ ପ୍ରସ୍ତାବ ଦେବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି । ୨୦୨୬-୨୭ ଅତିରିକ୍ତ ବଜେଟ ପ୍ରସ୍ତାବ ପାଇଁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରୀ ହୋଇଛି ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ବିଧାନସଭାର ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି । ବିଭାଗଗୁଡ଼ିକୁ ନିଜ ନିଜ ପ୍ରସ୍ତାବ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥ ବିଭାଗ ନିକଟରେ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଦାଖଲ କରିବାକୁ କୁହାଯାଇଛି । ଅର୍ଥ ବିଭାଗର ଏହି ନିର୍ଦ୍ଦେଶାବଳୀରେ ବାସ୍ତବ ଆବଶ୍ୟକତା ଆଧାରରେ ଅର୍ଥ ବରାଦ, ଅନାବଶ୍ୟକ ଅର୍ଥ ସମର୍ପଣକୁ ରୋକିବା ଓ ରାଜ୍ୟର ବିକାଶମୂଳକ ଖର୍ଚ୍ଚକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ସରକାରଙ୍କ ବର୍ତ୍ତମାନର ପ୍ରାଥମିକତା ମଧ୍ୟରେ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ହାସଲକୁ ଗୁରୁତ୍ୱ ଦିଆଯାଇଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ରହିଛି । ଏହା ସହିତ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପୂରଣରେ ରାଜ୍ୟର ଯୋଗଦାନ ବୃଦ୍ଧି କରିବାକୁ ଉଦ୍ଦେଶ୍ୟ ରହିଛି । ସମାବେଶୀ ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ଗୁଣାତ୍ମକ ନିଯୁକ୍ତି ଓ ଜୀବିକା ସୁଯୋଗ ସୃଷ୍ଟି, ଗ୍ରାମୀଣ ଓ ସହରାଞ୍ଚଳ ଭିତ୍ତିଭୂମିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମୌଳିକ ସୁବିଧାରେ ଉନ୍ନତି ଓ ଶିଳ୍ପାୟନ, ପୁଞ୍ଜିନିବେଶ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ।
ବିଶ୍ୱ ଅର୍ଥନୀତିରେ ରହିଥିବା ଅନିଶ୍ଚିତତା, ଭୂ-ରାଜନୈତିକ ଉତ୍ତେଜନା, ଅନ୍ତର୍ଜାତୀୟ ବାଣିଜ୍ୟରେ ବାଧା ଓ ଇନ୍ଧନ ମୂଲ୍ୟର ଅସ୍ଥିରତା ଭଳି ପ୍ରସଙ୍ଗ ଉଲ୍ଲେଖ କରାଯାଇଛି ।
ଏଭଳି ପରିସ୍ଥିତିରେ ରାଜସ୍ୱ ପ୍ରାପ୍ତି ଓ ବ୍ୟୟର ଧାରାକୁ ନିରନ୍ତର ନିରୀକ୍ଷଣ କରିବା ସହିତ ରାଜ୍ୟର ବିକାଶ ଗତି ଓ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସମ୍ବଳର ସମୟୋପଯୋଗୀ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ଅତିରିକ୍ତ ବଜେଟ ପ୍ରସ୍ତୁତି ସମୟରେ ବିଭାଗଗୁଡ଼ିକୁ ଚାଲୁଥିବା ଭିତ୍ତିଭୂମି ପ୍ରକଳ୍ପ ଓ ଜୀବିକା ସମ୍ବନ୍ଧୀୟ ବ୍ୟୟର ବାସ୍ତବ ଆକଳନ କରିବାକୁ କୁହାଯାଇଛି । ଅତିରିକ୍ତ ଆବଶ୍ୟକତା ଥିଲେ, ପୁନଃବିନିଯୋଗ ମାଧ୍ୟମରେ ଉପଲବ୍ଧ ସଞ୍ଚୟକୁ ଅନ୍ୟ ଆବଶ୍ୟକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ସରକାରଙ୍କ ଘୋଷିତ ନୂତନ ଯୋଜନା ଓ ଜୀବିକା ସୁଯୋଗ ସୃଷ୍ଟି ସମ୍ବନ୍ଧୀୟ ପ୍ରସ୍ତାବକୁ ଆବଶ୍ୟକତା ଅନୁଯାୟୀ ପାଣ୍ଠି ଯୋଗାଣ କରିବା ଉପରେ ମଧ୍ୟ ଗୁରୁତ୍ୱ ରହିଛି ।
ଅତିରିକ୍ତ ବଜେଟ ପ୍ରସ୍ତାବଗୁଡ଼ିକ ବିଶେଷକରି କାର୍ଯ୍ୟକ୍ରମ ବ୍ୟୟ ସମ୍ବନ୍ଧୀୟ ପ୍ରସ୍ତାବ ସତର୍କତାର ସହିତ ପ୍ରସ୍ତୁତ ହେବା ଆବଶ୍ୟକ । ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ବିନା ଅର୍ଥ ବରାଦ କରାଗଲେ ଆର୍ଥିକ ବର୍ଷ ଶେଷରେ ବହୁ ପରିମାଣର ଅର୍ଥ ଖର୍ଚ୍ଚ ନହୋଇ ସମର୍ପଣ ହେବାର ସମ୍ଭାବନା ରହେ। ଏପରି ଅର୍ଥ ସମର୍ପଣ ନେଇ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (C&AG)ଙ୍କ ପକ୍ଷରୁ ପ୍ରତିକୂଳ ମନ୍ତବ୍ୟ ଦିଆଯାଉଥିବା ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି । ତେଣୁ ସମ୍ପୃକ୍ତ ଆକଳନକାରୀ ଓ ନିୟନ୍ତ୍ରଣ ଅଧିକାରୀମାନେ ବ୍ୟକ୍ତିଗତ ଧ୍ୟାନ ଦେଇ ପ୍ରସ୍ତାବ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଅତିରିକ୍ତ ବଜେଟରେ ଓଡ଼ିଶା ଆକସ୍ମିକ ପାଣ୍ଠି (OCF)ରୁ ପୂର୍ବରୁ ମଞ୍ଜୁର ହୋଇଥିବା ଅଗ୍ରୀମ ରାଶି ଫେରସ୍ତ କରିବା ପାଇଁ ପ୍ରସ୍ତାବ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ପୃକ୍ତ ବିଭାଗକୁ ବାସ୍ତବ ଖର୍ଚ୍ଚ ଆଧାରରେ ଅଗ୍ରୀମ ଅର୍ଥ ଫେରସ୍ତ ପାଇଁ ଆଦେଶନାମା ଜାରି କରିବାକୁ ହେବ । ଏଥିପାଇଁ ପ୍ରସ୍ତାବ ଦାଖଲ ସମୟରେ ଚିଠି ସଂଖ୍ୟା, ଅଗ୍ରୀମ ମଞ୍ଜୁର ତାରିଖ ଓ ହିସାବ ଶୀର୍ଷକ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଆବଶ୍ୟକ । ୨୦୨୬-୨୭ ବଜେଟ୍ ଆକଳନରେ ବେତନ ଓ ମହଙ୍ଗା ଭତ୍ତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । କେବଳ ପଦବୀ ପୂରଣ କିମ୍ବା ଆବଶ୍ୟକତାଠାରୁ କମ ବ୍ୟୟ ବରାଦ ଥିବା ପରିସ୍ଥିତିରେ ଅତିରିକ୍ତ ବ୍ୟବସ୍ଥାକୁ ଅନୁମତି ଦିଆଯିବ । ଏହି ଅତିରିକ୍ତ ବ୍ୟବସ୍ଥା ପାଇଁ ଅନୁମୋଦିତ ବରାଦରୁ ସଞ୍ଚୟ ସଂଗ୍ରହ କରି ଭରଣା କରିବା ଉଚିତ ବୋଲି ନିର୍ଦ୍ଦେଶ ରହିଛି ।

ଘରଭଡ଼ା, ବିଦ୍ୟୁତ ଦେୟ, ଜଳ ଶୁଳ୍କ ଓ ମ୍ୟୁନିସିପାଲିଟି ଦେୟ ବାବଦରେ ବଜେଟ ବ୍ୟବସ୍ଥା ଆବଶ୍ୟକତାଠାରୁ କମ୍ ଥିଲେ, ଅତିରିକ୍ତ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦାଖଲ କରାଯାଇପାରିବ । ସେହିପରି, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଅଦାଲତଙ୍କ ନିର୍ଦ୍ଦେଶ ପାଳନ ପାଇଁ ଆବଶ୍ୟକ ରାଶିକୁ ଅତିରିକ୍ତ ବଜେଟ୍‌ରେ ‘ନିର୍ଦ୍ଦେଶିତ ଖର୍ଚ୍ଚ’ ଅଧୀନରେ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯାଇପାରିବ । ଏଭଳି ପ୍ରସ୍ତାବ ସହିତ ଅଦାଲତଙ୍କ ଆଦେଶ ଓ ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ ଭାବରେ ଉପସ୍ଥାପନ କରିବା ଆବଶ୍ୟକ ।
କୌଣସି ପ୍ରସ୍ତାବରେ ଅତିରିକ୍ତ ଅର୍ଥର ଆବଶ୍ୟକତା ନଥିଲେ, ଉକ୍ତ ଅର୍ଥକୁ ସଞ୍ଚୟ ଭାବେ ଚିହ୍ନଟ କରି ଆବଶ୍ୟକ କ୍ଷେତ୍ରରେ ଅତିରିକ୍ତ ପାଣ୍ଠି ଭାବେ ବିନିଯୋଗ କରାଯାଇପାରିବ । ରାଜସ୍ୱ ହିସାବରୁ ପୁଞ୍ଜି ହିସାବକୁ କିମ୍ବା ଅନୁମୋଦିତ ହିସାବରୁ ନିର୍ଦ୍ଦେଶିତ ହିସାବକୁ ଅର୍ଥ ସ୍ଥାନାନ୍ତର ଭଳି ବ୍ୟବସ୍ଥା ମଧ୍ୟ ନିୟମ ଅନୁଯାୟୀ କରାଯାଇପାରିବ । ବାହ୍ୟ ଅନୁଦାନପ୍ରାପ୍ତ ପ୍ରକଳ୍ପ ସମ୍ବନ୍ଧୀୟ ହିସାବ ସଂଶୋଧନ ପାଇଁ ବିଭାଗର ସମ୍ପୃକ୍ତ ଉପବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବ ।ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଯୋଜନା ଅଧୀନରେ ଅତିରିକ୍ତ ଆବଶ୍ୟକତା ଦେଖାଦେଲେ, ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସରଣ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି ।
ନୂତନ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଅର୍ଥ କମିଟିର ମୂଲ୍ୟାଙ୍କନ ଆବଶ୍ୟକ ହେବ । ଏହା ସହିତ ବିଭାଗଗୁଡ଼ିକୁ ବର୍ତ୍ତମାନର ବ୍ୟୟ ସୀମା ମଧ୍ୟରେ ପୁନଃଆବଣ୍ଟନ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ରହିଛି । ଅତିରିକ୍ତ ବଜେଟ ପ୍ରସ୍ତାବଗୁଡ଼ିକ ବାସ୍ତବ ଆବଶ୍ୟକତା, ଖର୍ଚ୍ଚ କ୍ଷମତା ଓ ରାଜ୍ୟର ବିକାଶମୂଳକ ପ୍ରାଥମିକତାକୁ ଆଧାର କରି ପ୍ରସ୍ତୁତ କରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି ।

  • Related Posts

    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଜନାଥ ସିଂହ

    ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ସେ କୋରାପୁଟ ଜିଲ୍ଲା ଗସ୍ତ କରିବେ। ଗସ୍ତ ସମୟରେ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ