
ଭୁବନେଶ୍ୱର,: ଆସନ୍ତା ୨୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ । ୨୮ ତାରିଖ ବେଳକୁ ବର୍ଷା ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ କହିଛନ୍ତି । ୨୭ ଓ ୨୮ ତାରିଖ ବେଳକୁ ବର୍ଷା ବଢ଼ିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ୩୦ ଓ ୩୧ରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ୧୦୧ମିମି, ବରଗଡ଼ରେ ୯୫.୮, ଝାରସୁଗୁଡ଼ାରେ ୩୭.୩, ମାଲକାନଗିରିରେ ୩୬.୪ ଓ ଯାଜପୁରରେ ୩୧.୫ ମିମି ବର୍ଷା ରେକର୍ଡ ହୋଇଛି । ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ ସର୍ବାଧିକ ୧୬୨.୨ ମିମି ବର୍ଷା ହୋଇଛି । ୪ଟି ବ୍ଲକରେ ୧୦୦ ମିମିରୁ ଅଧିକ ଓ ୯ଟି ବ୍ଲକ୍, ଗୋଟିଏ ପୌରାଞ୍ଚଳରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି । ଅଗଷ୍ଟ ୧ରୁ ୨୫ ତାରିଖ ଯାଏ ମୋଟ ୩୪୪.୪ ମିମି ବର୍ଷା ହୋଇଛି ।
ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୮ଟି ପଞ୍ଚାୟତ ଅଧୀନରେ ଥିବା ୭୦ଟି ଗାଁର ୭୫,୪୩୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଯାଜପୁର ଜିଲ୍ଲାର ବରୀ, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତ ଅଧୀନ ୪୧ଟି ଗାଁର ୨୧ହଜାର ଲୋକ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ, ଗୋଟିଏ ପୌରାଞ୍ଚଳ, ୧୧ଟି ୱାର୍ଡ, ୩୫ଟି ପଞ୍ଚାୟତ ଓ ୬୪ଟି ଗାଁର ୫,୪୭୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରବଳ ବର୍ଷାରେ କେନ୍ଦୁଝର, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି । ନବରଙ୍ଗପୁର ଜିଲ୍ଲାର ୯ଟି ବ୍ଲକ୍ ପ୍ରଭାବିତ ହୋଇଛି । ୧,୬୨୨ ଜଣଙ୍କୁ ରିଲିଫ୍ କ୍ୟାମ୍ପକୁ ନିଆଯାଇଛି । କୋରାପୁଟରେ ୬୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୯ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀ କାମ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୭୦.୩୦ କୋଟି ଟଙ୍କା ଦିଆଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଓ ତଳିଆ ଅଞ୍ଚଳରେ ଜଳବନ୍ଦୀର ମୁକାବିଲା ସହ ରାସ୍ତା ଓ ଅଣ୍ଡରପାସ୍ର ସ୍ଥିତି ଉପରେ ନଜର ରଖବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଣ୍ଡଳୀରେ ୨ ଲକ୍ଷ ୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି । ବୁଧବାର ଏଠାରେ ପାଣି ବଢ଼ିବା ସହ ପ୍ରାୟ ସାଢ଼େ ୬ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିବ । ଫଳରେ ମହାନଦୀ ସାମାନ୍ୟ ଫୁଲିପାରେ । ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ପାଣି ରହିବ । ଆସନ୍ତା ତିନି ଦିନ ଯାଏ ବିଶେଷ ବର୍ଷା ନାହିଁ । ଫଳରେ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟିର ଆଶଙ୍କା ନାହିଁ । ସେପଟେ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ପାଣି କମିବାରୁ ବନ୍ୟା ସ୍ଥିତି ସୁଧୁରିଛି । ମହାନଦୀକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୨୩ ହଜାର ଘନଫୁଟ ପାଣି ପଶୁଛି । ଖଇରମାଳରେ ୫ଲକ୍ଷ ୯୦ହଜାର ଘନଫୁଟ ଓ ବରମୂଳରେ ୩ ଲକ୍ଷ ୧୧ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି । ତେଲ ନଦୀର ପଥରଳାରେ ୨ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଛି । ମୁଣ୍ଡଳୀରେ ଏବେ ୨ଲକ୍ଷ ୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବାବେଳେ ଆସନ୍ତା ୧୨ ଘଣ୍ଟାରେ ବରମୂଳରୁ ପାଣି ଆସି ପହଞ୍ଚିଯିବ । ଫଳରେ ମୁଣ୍ଡଳୀରେ ଜଳସ୍ତର ବଢ଼ିବା ସହ ତଳମୁଣ୍ଡରେ ଅଧିକ ପାଣି ପଶିବ । ଏଥିଯୋଗୁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସବୁ ନଦୀରେ ଜଳ ପତ୍ତନ କମିଛି । ମାଲକାନଗିରିରେ ସ୍ଥିତି ସ୍ୱାଭାବିକ ହୋଇଛି । ତଥାପି ୬ ଜିଲ୍ଲାର ୨୨ ବ୍ଲକ୍ର ୧ ଲକ୍ଷ ୭ ହଜାର ୨୩୫ ଲୋକ ପ୍ରଭାବିତ ହୋଇଛନ୍ତି । ୨ ହଜାର ୨୮୨ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ୯୫ ବନ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଦିଆଯାଉଛି । ୩୭୭ ଘର ଭାଙ୍ଗିଛି । ଏବେ ବି ୨୮ ଓଡ୍ରାଫ, ଗୋଟିଏ ଏନଡିଆରଏଫ ୪୦ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ୱରରେ ସମ୍ପୂର୍ଣ୍ଣ ଜଳ ନିଷ୍କାସନ ହୋଇନି । ପାଣି ଖସିବାକୁ ଆହୁରି ୨ ରୁ ୩ ଦିନ ଲାଗିବ । ରାଜସ୍ୱ ବିଭାଗ ତୃତୀୟ କିସ୍ତିରେ ଜିଲ୍ଲାଗୁଡ଼ିକୁ ବନ୍ୟା ସହାୟତା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିଛି ।




