
ନୀଳଗିରି: ରିଲ୍ସ ବନାଇବା ହେଲା କାଳ। ବ୍ଲୁ ଲେକରେ ବୁଡି ଚାଲିଗଲା ୨ ସାଙ୍ଗଙ୍କ ଜୀବନ । ୨୪ ଘଣ୍ଟା ପରେ ୨ ମୃତଦେହ ଉଦ୍ଧାର କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ନିକଟ ପରିତ୍ୟକ୍ତ ଖାଦାନ ପାଣି ବ୍ଲୁଲେକ ରେ ୨୦୦ ଫୁଟ ପାଣିରେ ଦୁଇ ସାଙ୍ଗ ବୁଡ଼ିଯାଇଥିଲେ । ଗତକାଲି ଗାଧୋଇବା ବେଳେ ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ୨ ଜଣ ବୁଡ଼ି ନିଖୋଜ ଥିଲେ । ମୃତକ ୨ କଲେଜ ଛାତ୍ର ଭଦ୍ରକ ଓ ବାରିପଦା ଅଞ୍ଚଳର ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ପରେ ୨ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ ।
ବାଲେଶ୍ଵର ଜିଲ୍ଲା ନୀଳଗିରିର ମିତ୍ରପୁର ନିକଟ ବ୍ଲୁ ଲେକ ରେ ଗତକାଲି ଅଘଟଣ ଘଟିଥିଲା । ତିନିଜଣ କଲେଜ ଛାତ୍ର ବୁଲିବାକୁ ଆସି ରିଲ୍ସ କରୁଥିଲେ । ଗଛରେ ଚଢି ପାଣିକୁ ଡିଆଁ ମଧ୍ୟ ମାରୁଥିଲେ । ଏହା ଏକ ପରିତ୍ୟକ୍ତ ଖାଦାନ ବୋଲି ସେମାନେ ଜାଣିନଥିଲେ । ରିଲ୍ସ କରି ଗଛରୁ ଡେଉଁଥିବା ବେଳେ ବଡ଼ ଅଘଟଣ ଘଟିଥିଲା । ଖାଦାନରେ ୨୦୦ ଫୁଟ ପାଣି ଥିଲା । ଏଥିରେ ଦୁଇଜଣ ସାଙ୍ଗ ବୁଡି ନିଖୋଜ ହୋଇ ଯାଇଥିଲେ । ରେମୁଣା କଲେଜରେ ପଢୁଥିବା ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଥିବା ବେଳେ ନିଖୋଜ ଥିବାବେଳେ ଅନ୍ୟ ୨ ଛାତ୍ର ଭଦ୍ରକ ଅଞ୍ଚଳର ଅଂଶୁମାନ ପାତ୍ର ଓ ଅନ୍ୟ ଜଣକ ବାରିପଦା ଅଞ୍ଚଳର ଭବିଷ୍ୟ ପାତ୍ର ନିଖୋଜ ଥିଲେ ।
ଉଭୟ ଫକୀର ମୋହନ କଲେଜରେ କମର୍ସର ଦ୍ୱିତୀୟ ବର୍ଷର ଛାତ୍ର । ଘଟଣାସ୍ଥଳରେ ନୀଳଗିରି ପୁଲିସ ପହଁଞ୍ଚି ତଦନ୍ତ କରିଛି । ଦମକଳ ଓ ଓଡ୍ରାଫ ଟିମ୍ ଗତକାଲିଠାରୁ ଖୋଜାଖୋଜି ଜାରି ରଖିଥିଲେ । ଏହାପରେ ୨ ସାଙ୍ଗଙ୍କ ମୃତଦେହ ଉଦ୍ଧାର ହୋଇଛି । ସେପଟେ ଭଦ୍ରକରେ ଗାଧୋଇବା ବେଳେ ରେବ ନଦୀରେ ୪ ନାବାଳିକା ଭାସିଯାଇଛନ୍ତି । ଧାମନଗର ଚୂଡାକୁଟି ପଞ୍ଚାୟତ ନାରାୟଣପୁର ଗାଁରେ ଅଘଟଣ ଘଟିଛି । ୩ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।




