
13 ଜଣଙ୍କୁ ରାଜଧାନୀ ଗୌରବ ଏବଂ 3 ଜଣ ବୟୋଜ୍ୟେଷ୍ଠଙ୍କୁ କରାଯିବ ସମ୍ବର୍ଦ୍ଧିତ
ଭୁବନେଶ୍ୱର:78ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ରାଜଧାନୀ ପ୍ରତିଷ୍ଠା କମିଟିର ଉପାଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ରଙ୍କ ସହ ବିଏମ୍ ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆସନ୍ତା ଅପ୍ରିଲ 13 ତାରିଖ ଦିନ ଭୁବନେଶ୍ୱରରେ ପାଳିତ ହେବ 78 ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହାକୁ ଧୁମଧାମରେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହିନ ସକାଳୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ବିଧାନ ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳରେ ପ୍ରାତଃ ସମୟରେ ମାଲ୍ୟାର୍ପଣ କରାଯିବା ସହ ରାଜଧାନୀ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରାଯିବ । ପରେ ପୋଲିସ, ଟ୍ରାଫିକ୍ ପୋଲିସ, ସେଭେନ୍ଥ ବ୍ୟାଟେଲିୟନ, ଅଗ୍ନିଶମ ବିଭାଗ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ପ୍ୟାରେଡରେ ମୁଖ୍ୟ ଅତିଥି ଅଭିଭାଦନ ଗ୍ରହଣ କରିବେ । ଜୟଦେବ ଭବନରେ ସୂଚନା ଓ ଲୋକ ସଂପର୍କ ପକ୍ଷରୁ ଫଟୋ ପ୍ରଦର୍ଶନ ହେବାକୁ ଥିବା ବେଳେ ସନ୍ଧ୍ୟାବେଳେ ଉତ୍କଳ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ରାଜଧାନୀ ଗୌରବ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଏମ୍ ସିର ତିନୋଟି ଜୋନରୁ ବୟୋଜ୍ୟେଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।
ଏହା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଡକାଯିବ । ସେଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ବିଏମ୍ ସି, ବିଡିଏ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, କମିଶନରେଟ୍ ପୋଲିସ, ଟ୍ରାଫିକ୍ ପୋଲିସ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଓ୍ୱାଟକୋ ଆଦି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ । ଏହି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।
ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷାକରି ବିଏମ୍ ସି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମାନନୀୟା ମେୟର ଓ କମିଶନର ପରାମର୍ଶ ଦେଇଛନ୍ତି ।
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱରବାସୀଙ୍କୁ ସ୍ୱଚ୍ଛତା ବାର୍ତ୍ତା ଦେବା ସହ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ରାଜଧାନୀ ଗଠନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମାନନୀୟା ମେୟର ଓ କମିଶନର ।




