ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବଂ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର :  ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ  କରିଥିଲେ। ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅଧୀନରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ । ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ। ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ। ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେତେବେଳେ ବିରୋଧୀ ଦଳରେ ଥିଲେ, ସେତେବେଳେ ପ୍ରାଥମିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କୁ  ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେତେବେଳର ସରକାର କିଛି ପଦକ୍ଷେପ ନେଇନଥିଲେ।  ରାଜ୍ୟର ପୁରାତନ ବିଦ୍ୟାଳୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟ କିମ୍ବା ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯିବ । ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ। ସମୁଦାୟ ୫୧ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ।
ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ମାସିକ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ବାରା ବହନ କରାଯିବ।  ୩୧୪ ଟି ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୧୭୩ ଟି ଆଦର୍ଶ ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନା ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମୋଦନ ମିଳିସାରିଛି । ଯେଉଁଥିରେ ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଏବଂ ଖାଇବାର ବ୍ୟବସ୍ଥା ରହିଛି । ବାକି ୧୪୧ ଟି ବାଳିକା ହଷ୍ଟେଲ ଏବଂ ୩୧୪ ଟି ବାଳକ ହଷ୍ଟେଲ କାର୍ୟ୍ୟକ୍ଷମ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ନିଆଯାଉଛି। ମୋଟ ୪୫୫ଟି ହଷ୍ଟେଲରେ ଅନ୍ତେବାସୀ ମାନଙ୍କଠାରୁ ମାସିକ ୨ହଜାର ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଆଦାୟ ନିମନ୍ତେ ପୂର୍ବରୁ ମାର୍ଗଦର୍ଶିକା ଜାରି ହୋଇଥିଲା । କିନ୍ତୁ ଅଭିଭାବକମାନଙ୍କର  ଅନୁରୋଧ ରକ୍ଷାକରି ମାସିକ ଖର୍ଚ୍ଚ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନିଆଗଲା । ଏଥି ପାଇଁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଖର୍ଚ୍ଚ ଦେବାପାଇଁ ପଡ଼ିବ ନାହିଁ। ଏହା ଅଧୀନରେ ସମସ୍ତ ଅନ୍ତେବାସୀ ସମ୍ପୂର୍ଣ୍ଣ ମାଗଣାରେ ହଷ୍ଟେଲ ସୁବିଧା ପାଇବେ । ସମସ୍ତ ହଷ୍ଟେଲକୁ କାର୍ୟ୍ୟକ୍ଷମ କରିବା ନିମନ୍ତେ ମୂଳଖର୍ଚ୍ଚ ୬୩.୭୦ କୋଟିକୁ ବାଦ୍ ଦେଇ ସରକାର ବାର୍ଷିକ ୧୮୭.୧୫  କୋଟି ଟଙ୍କା ବହନ କରିବେ  ।

କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ପି.ଏମ୍. ପୋଷଣ’ ନିର୍ଦ୍ଦେଶାବଳୀ ଏବଂ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା’ ନାମକ ଏକ କଫି ଟେବଲ ପୁସ୍ତକର ଉନ୍ମୋଚନ କରିଥିଲେ । ଏହା ସହିତ ଐତିହ୍ୟ ବିଦ୍ୟାଳୟର ଲୋଗୋ ଏବଂ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

କାର୍ୟ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କହିଲେ ଯେ, ଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ବିକାଶ ହେଉଛି । ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଏହାକୁ ଉପଯୋଗ କରି ପିଲାମାନେ ନିଜର ଭବିଷ୍ୟତ ଗଢନ୍ତୁ । ଉଚ୍ଚଶିକ୍ଷା ମନ୍ତ୍ରୀ  ସୂର୍ୟ୍ୟବଂଶୀ ସୂରଜ କହିଥିଲେ ଯେ, ତୃଣମୂଳ ସ୍ତରରେ ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ଯେତେ ଉନ୍ନତି ହେବ, ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାଲାଭ କରିବା ସେତେ ସହଜ ହେବ। ସୁରଭି କାର୍ୟ୍ୟକ୍ରମରେ ପିଲାମାନଙ୍କର ଯେଉଁ ପ୍ରତିଭା ଦେଖିବାକୁ ମିଳୁଛି, ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସେ କହିଥିଲେ। ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆଜି ଏଠାରେ ଉପସ୍ଥିତ ରହି, ୨୦୩୬ ପାଇଁ ବିକଶିତ ଓଡିଶା ଗଠନର ଯେଉଁ ଲକ୍ଷ୍ୟ ରହିଛି, ତା’ର ଚାରା ରୋପଣ କରୁଛନ୍ତି। ଆଜିର ପିଲାମାନେ ସମୃଦ୍ଧ ଓଡିଶାର ନେତୃତ୍ୱ ନେବେ । ପିଲାମାନେ ଆମର ସମୃଦ୍ଧ ଇତିହାସ ଓ ଐତିହ୍ୟ ଜାଣିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ।

କାର୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ  ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ କାର୍ୟ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ୩୦ ଜିଲ୍ଲାର ୨୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ