
ଭୁବନେଶ୍ୱର: ‘ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ’ ପକ୍ଷରୁ ପାଳିତ ହୋଇଛି ଜାତୀୟ ପ୍ରେସ୍ ଦିବସ-୨୦୨୪ । ଜୟଦେବ ଭବନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଚଳିତବର୍ଷ ରାଜ୍ୟର ୩୩ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନ୍ସନ୍ ପ୍ରଦାନ କରିଛନ୍ତି । ସେହିପରି ୭ ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତିରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ଦୈନିକ ସମ୍ବାଦପତ୍ର ‘ସତ୍ୟର ସ୍ୱର ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୪’ ପ୍ରଦାନ କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୭ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି ।କାର୍ୟ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଅତିଥିମାନେ ପରିବର୍ତ୍ତନଶୀଳ ଗଣମାଧ୍ୟମରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିଭଳି ଦ୍ଵିତୀୟ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ଓ ବାଚସ୍ପତି ସୁରମା ପାଢ଼ୀ ଅତିଥି ଭାବେ ଯୋଗ ଦେଇଥିଲେ ।

