ବଳଙ୍ଗା ପୀଡ଼ିତାଙ୍କ ବୟାନ ଭିଡିଓ ଭାଇରାଲ ଘଟଣାରେ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବୀ କଲା ବିଜେଡି

ଭୁବନେଶ୍ୱର, ୧୭/୦୮/୨୦୨୫: ବଳଙ୍ଗା ପୀଡିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି ବୋଲି ପୀଡିତାଙ୍କ ବୟାନର ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ଓ ଯୁବନେତା ଶ୍ରୀ ସୁବ୍ରତ ଛାଟୋଇ କହିଥିଲେ, ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଘଣ୍ଟ ଘୋଡାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିଜ ନିର୍ବାଚନ ମଣ୍ଡଳୀ ନିମାପଡାରେ ଏହି ଘଟଣା ଘଟିଥିଲା ବେଳେ ଶ୍ରୀମତୀ ପରିଡାଙ୍କ ଇଙ୍ଗିତରେ ଆପରାଧୀଙ୍କୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି । ତେଣୁ ଶ୍ରୀମତୀ ପ୍ରଭାତୀ ପରିଡା ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଘଟଣାର ନ୍ୟାୟିକ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ତରଫରୁ ଦାବି କରାଯାଇଛି ।
ଡ଼ ଲେନିନ ମହାନ୍ତି କହିଥିଲେ, ବଳଙ୍ଗାରେ ନାବାଳିକା ପୋଡିଯିବା ଘଟଣାରେ, ପୀଡିତା ନିଜ ମନ୍ତବ୍ୟରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି ବୋଲି ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ପୀଡିତା ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ ଓ ଏଠାରେ ସ୍କିନ ବ୍ୟାଙ୍କ ନଥିବା କାରଣରୁ, ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ବିଜେଡି ଦାବି କରିଥିଲା । ରାଜ୍ୟ ସରକାର ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖା ଦେଇଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦିଲ୍ଲୀ ଗସ୍ତ କରି ପୀଡ଼ିତାଙ୍କୁ ଓ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କୁ ଭେଟିବା ପରେ, ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି କହିଥିଲେ । ଅପରପକ୍ଷରେ ଏହି ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା । କିନ୍ତୁ, ପୋଲିସ ଏଥିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଧରିବାରେ ସକ୍ଷମ ହୋଇନଥିଲା । ପୀଡ଼ିତାଙ୍କ ମୃତୁ୍ୟ ହେବାର ମାତ୍ର ଦଶ ମିନିଟ ଭିତରେ ପୋଲିସ ତରଫରୁ ଟ୍ୱିଟ୍ ମାଧ୍ୟମରେ ଏହି ଘଟଣାରେ କେହି ସମ୍ପୃକ୍ତି ନାହାନ୍ତି ବୋଲି ବୟାନ ଦେବା ସହିତ ଏହି ସମ୍ୱେଦନଶୀଳ ଘଟଣାରେ କେହି ମନ୍ତବ୍ୟ ନଦେବାକୁ ନିବେଦନ କରାଯାଇଥିଲା । ସମଗ୍ର ଘଟଣାରେ ପୋଲିସର ଭୂମିକା ସନେ୍ଦହ ଘେରରେ ରହିଥିବା ବେଳେ ଆଜିର ଭିଡିଓ ଅନେକ ପ୍ରଶ୍ନ ଛିଡା କରିଛି । ଭିଡିଓରେ ପୀଡିତାଙ୍କ ବୟାନ ରେକର୍ଡିଂ କରାଯାଉଥିବା ବେଳେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ କି ? ବର୍ତ୍ତମାନ ଯେଉଁ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି, ତାହା ମଧ୍ୟ ତଦନ୍ତ ହେବାର ଆବଶ୍ୟକ ଅଛି । ଏହି ସମସ୍ତ ଘଟଣାରୁ ଜଣାପଡୁଛି, ସରକାର ଆସାମୀ ମାନଙ୍କୁ ଖସାଇ ଦେବା ପାଇଁ ପୂର୍ଣ୍ଣ ଚେଷ୍ଟାରେ ଅଛନ୍ତି ।
ଶ୍ରୀମତୀ ଇପ୍ସିତା ସାହୁ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିବା ସହିତ ନାରୀ ନିର୍ଯାତନା ବୃଦ୍ଧି ପାଇଛି । ସରକାରଙ୍କ ନୂତନ ପରିଚୟ ହେଉଛି ମଣିଷମରା ସରକାର । ଗୋଟିଏ ପରେ ଗୋଟିଏ ଝିଅ ଜୁଇରେ ଜଳି ମରୁଥିବା ବେଳେ ଆୟୁଷ୍ମାନ କାର୍ଡରେ ଉପଯୁକ୍ତ ଚିକିତ୍ସା ମିଳି ନପାରିବାରୁ ରୋଗୀ ମାନେ ଶ୍ମଶାନକୁ ଯାଉଛନ୍ତି । ନିର୍ଯାତନାର ଶିକାର ହେଉଥିବା ମହିଳା ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ଭାଇରାଲ ହୋଇଥିବା ଭିଡିଓରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ସତ କେବେ ଲୁଚି ରହେନା ।
ଶ୍ରୀ ସୁବ୍ରତ ଛାଟୋଇ କହିଥିଲେ, ଏହି ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ନାହିଁ ବୋଲି ପୋଲିସର ବୟାନ ଓ ପୀଡ଼ିତାଙ୍କ ବାପାଙ୍କର ସରକାରଙ୍କୁ ସାବାସୀ ଦେବା ଓ ତାଙ୍କ ଝିଅ ମୃତୁ୍ୟ ପାଇଁ ରାଜନୀତି ନକରାଯାଉ ବୋଲି ରେକର୍ଡେଡ ବୟାନ ସମଗ୍ର ରାଜ୍ୟବାସୀଙ୍କ ମନରେ ସନେ୍ଦହ ସୃଷ୍ଟି କରିଥିଲା । ପୀଡିତା ଜୀବିତ ଥିବା ଅବସ୍ଥାରେ, ତିନି ତିନି ଥର ପୋଲିସ ଦ୍ୱାରା ତାଙ୍କ ବୟାନ ରେକର୍ଡ କରାଯାଇଥିଲା । କିନ୍ତୁ, କୌଣସି ସମୟରେ କାହାର ସମ୍ପୃକ୍ତି ନଥିବା କଥା ପଦାକୁ ଆସି ନଥିଲା । ପୀଡ଼ିତାଙ୍କ ମୃତୁ୍ୟର କିଛି କ୍ଷଣ ପରେ ପୋଲିସର ବୟାନ, କେବଳ ଦୋଷୀ ମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ଉର୍ଦ୍ଦିଷ୍ଟ । ଏହା ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଇଙ୍ଗିତରେ ହୋଇଛି । ତେଣୁ, ଶ୍ରୀମତୀ ପରିଡା ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଏହି ଘଟଣାର ନ୍ୟାୟିକ ତଦନ୍ତ ଘୋଷଣା କରନ୍ତୁ ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ବନ୍ଦକୁ ଜନସମର୍ଥନ ମିଳିଛି : ଭକ୍ତ

    ଭୁବନେଶ୍ୱର, ୮ ।୧୦ : ଚାରିଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ