
ଭୁବନେଶ୍ବର: ୬ ଲେନ୍ ବିଶିଷ୍ଟ ଭୁବନେଶ୍ୱର ବାଇପାସକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ। ୮୩୦୭.୭୪ କୋଟି ଟଙ୍କା ବ୍ୟୟରେ ହାଇବ୍ରିଡ ଆନୁଇଟି ମୋଡ୍ ବା ଏଚ୍ଏଏମ୍ ଜରିଆରେ ନିର୍ମାଣ କରାଯିବ ପ୍ରକଳ୍ପ। ୧୧୦.୮୭୫ କିଲୋମିଟର ଲମ୍ବ ପ୍ରବେଶ ନିୟନ୍ତ୍ରିତ ରାଜଧାନୀ କ୍ଷେତ୍ର ରିଙ୍ଗ୍ ରୋଡ୍। ଫଳରେ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ସହରରେ ଭିଡ଼ ହ୍ରାସ ପାଇବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି, ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀ।
ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ନିଶ୍ଚିତ ଭାବେ ଆଜି ଆମ ରାଜ୍ୟ ପାଇଁ ଖୁସିର ଦିନ। କ୍ୟାପିଟାଲ ରଜିୟନ ରିଂ- ରୋଡ୍ ପାଇଁ ଲମ୍ବା ସମୟ ଧରି ଆମର ପରିକଳ୍ପନା ଥିଲା। ରାମେଶ୍ୱରରୁ ଟାଙ୍ଗି ପର୍ଯ୍ୟନ୍ତ ପ୍ରାୟ ୧୧୧ କିଲୋମିଟର ରାସ୍ତା ହେବା ଫଳରେ ଭୁବନେଶ୍ୱରର ଅର୍ଥନୈତିକ ଗ୍ରୋଥ୍ ପ୍ଲାନ ସମୃଦ୍ଧ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ କୃତଜ୍ଞତା ଜଣାଉଛୁ।”
ଏହି 6 ଲେନ୍ ବିଶିଷ୍ଟ 111 ବାଇପାସ୍ ତିନିଟି ଜିଲ୍ଲା କଟକ, ଭୁବନେଶ୍ବର ଓ ଢେଙ୍କାନାଳକୁ ସଂଯୋଗ କରିବ। ଏହି ପ୍ରକଳ୍ପଟି ରାଜ୍ୟର ୪ଟି ପ୍ରମୁଖ ସହର ଭୁବନେଶ୍ବର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳକୁ ସଂଯୋଗ କରିବ। ଖୋର୍ଦ୍ଦା ରାମେଶ୍ବରରୁ ଏହା ଡାଇଭର୍ଟ ହୋଇ ଆଠଗଡ଼ ଓ ତାପରେ ଏହା ଆସି ଟାଙ୍ଗିକୁ ସଂଯୋଗ କରିବ।ଖୋର୍ଦ୍ଧା ରାମେଶ୍ୱରରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ସଂଯୋଗ କରୁଥିବା ବର୍ତ୍ତମାନର ଜାତୀୟ ରାଜପଥ 16 ତିନିଟି ବଡ଼ ଜନବହୁଳ ସହର ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ଦେଇ ଯାଇଛି। ଅଧିକ ସଂଖ୍ୟାରେ ଯାନବାହନ ଚଳାଚଳ ଯୋଗୁ ଏହି ରାସ୍ତାରେ ପ୍ରବଳ ଭିଡ଼ ଏବଂ ଟ୍ରାଫିକ୍ ସମସ୍ୟା ଉତ୍ପନ୍ନ ହେଉଛି। ଏହି ସମସ୍ୟାର ସମାଧାନ ଲାଗି ଏକ 6 ଲେନ୍ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ ପ୍ରକଳ୍ପ ବିକଶିତ କରିବା ଲାଗି ପ୍ରସ୍ତାବ ରହିଛି। ଏହି ସଡ଼କ ପ୍ରକଳ୍ପ ନିର୍ମାଣ ହେଲେ ଭାରୀ ବାଣିଜ୍ୟିକ ବାହନଗୁଡ଼ିକ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସହର ମଧ୍ୟରେ ପ୍ରବେଶ ନକରି ବିକଳ୍ପ ମାର୍ଗ ଦେଇ ଯାତାୟାତ କରିବେ। ଫଳରେ ଓଡ଼ିଶା ସମେତ ଅନ୍ୟ ପୂର୍ବବର୍ତ୍ତୀ ରାଜ୍ୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିପାରିବ। ଏହାଦ୍ୱାରା ମାଲ୍ ପରିବହନ କ୍ଷମତା ବଢ଼ିବା ସହ ପରିବହନ ଖର୍ଚ୍ଚ ହ୍ରାସ ପାଇବ। ସ୍ଥାନୀୟ ଅଞ୍ଚଳରେ ସାମାଜିକ-ଆର୍ଥିକ ପ୍ରଗତି ଲାଗି ମାର୍ଗ ପ୍ରଶସ୍ତ ହେବ। ଏନେଇ ସୂଚନା ଦେଇଛନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ନୂତନ ରାଜମାର୍ଗ ପ୍ରକଳ୍ପକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି। ତିନିଟି ପ୍ରମୁଖ ଜାତୀୟ ରାଜପଥ ଏନ୍ଏଚ୍- 55, ଏନ୍ଏଚ୍- 57 ଓ ଏନ୍ଏଚ୍- 655) ଏବଂ ଗୋଟିଏ ରାଜ୍ୟ ରାଜପଥ ଏସ୍ଏଚ୍-65କୁ ପରସ୍ପର ସହ ଯୋଡ଼ିବ। ଏହା ଓଡ଼ିଶାର ପ୍ରମୁଖ ଆର୍ଥିକ, ସାମାଜିକ ଏବଂ ଲଜିଷ୍ଟିକ୍ସ କେନ୍ଦ୍ରଗୁଡ଼ିକୁ ବାଧାମୁକ୍ତ ସଡ଼କ ସଂଯୋଗ ପ୍ରଦାନ କରିବ। କେବଳ ସେତିକି ନୁହେଁ, ଏହି ଉନ୍ନତ ସଡ଼କ କରିଡର 10ଟି ଆର୍ଥିକ କେନ୍ଦ୍ର, 4ଟି ସାମାଜିକ କେନ୍ଦ୍ର, 5ଟି ଲଜିଷ୍ଟିକ୍ସ କେନ୍ଦ୍ରକୁ ଯୋଡ଼ିବ। ଗୋଟିଏ ପ୍ରମୁଖ ରେଳ ଷ୍ଟେସନ, ବିମାନ ବନ୍ଦର, ବହୁମୁଖୀ ଲଜିଷ୍ଟିକ୍ସ ପାର୍କ ବା ଏମ୍ଏମ୍ଏଲପି ଏବଂ 2ଟି ପ୍ରମୁଖ ବନ୍ଦରକୁ ସଡ଼କ ସଂଯୋଗ ଯୋଗାଇ ଦେବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମଗ୍ରୀ ଓ ଯାତ୍ରୀଙ୍କର ଦ୍ରୁତ ପରିବହନ ନିମନ୍ତେ ସୁବିଧା ମିଳିବ।ଅଢ଼େଇ ବର୍ଷର ଅବଧି ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହି ବାଇପାସ୍ ସ୍ଥାନୀୟ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥି ସହିତ ଏହା ପ୍ରମୁଖ ଧାର୍ମିକ ଓ ଆର୍ଥିକ କେନ୍ଦ୍ର ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ। ବାଣିଜ୍ୟ ଓ ଶିଳ୍ପ ବିକାଶ ଲାଗି ନୂତନ ମାର୍ଗ ପ୍ରଶସ୍ତ ହେବ। ଏହି ପ୍ରକଳ୍ପ ଦ୍ୱାରା ପାଖାପାଖି 74.43 ଲକ୍ଷ ମାନବ ଦିବସ ପ୍ରତ୍ୟକ୍ଷ ଏବଂ ପ୍ରାୟ 93.04 ଲକ୍ଷ ମାନବ ଦିବସ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ, ଅଭିବୃଦ୍ଧି ଓ ସମୃଦ୍ଧି ଲାଗି ନୂତନ ମାର୍ଗ ଖୋଲିବ।




