
ଗୋପାଳପୁର: ରାସ୍ତାକଡ଼ରେ ବାଇକ୍ ରଖି ଚଳନ୍ତା ଟ୍ରକ୍ ଆଗରେ ଶୋଇପଡ଼ିଲେ ଯୁବକ। ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ଘଟିଲା ମୃତ୍ୟୁ। ଶନିବାର ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ। ମୃତ ଯୁବକଙ୍କ ନାଁ ସୁବା ରାଓ। ତାଙ୍କ ଘର ଗୋପାଳପୁର ଥାନା କମଲାପୁର ଅଞ୍ଚଳରେ। ବାଇକ୍ଟି ତାଙ୍କର ନୁହେଁ। ତାହା ତାଙ୍କ ପଡ଼ୋଶୀଙ୍କର। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି। ଗୋପାଳପୁର ଥାନା ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ଘରେ କୌଣସି କାରଣକୁ ନେଇ ଅଶାନ୍ତି ଲାଗିଥିଲା। ସେଥିପାଇଁ ସେ ମାନସିକ ଚାପ ମଧ୍ୟରେ ଥିଲେ। ଆଜି ସେ ତାଙ୍କ ପଡ଼ୋଶୀଙ୍କର ବାଇକ୍ରେ ଆସି ତାକୁ ରାସ୍ତାକଡ଼ରେ ରଖି ବ୍ରହ୍ମପୁର ଆଡ଼କୁ ଯାଉଥିବା ଏକ ଟ୍ରକ୍ ସମ୍ମୁଖକୁ ହଠାତ୍ ଡେଇଁ ପଡ଼ିଥିଲେ। ଟ୍ରକ୍ଟି ତାଙ୍କୁ ଚାପି ସେଠାରୁ ପଳାଇଥିଲା।




