
ଭୁବନେଶ୍ବର: ଜୟ ଜଗନ୍ନାଥ…ଜୟ ଜଗନ୍ନାଥ…। ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ମୋର ନମସ୍କାର, ଜୁହାର। ଓଡ଼ିଶାର ସବୁ ପରିବାର ମା’-ମାଉସୀ, ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିକଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ ଓଡ଼ିଶାର ଚା’ ପିଇଥିଲି। ତିନିଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ଏହା କହିଛନ୍ତି। ବିମାନବନ୍ଦର ନିକଟରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳ, ହରିୟାଣା ନିର୍ବାଚନ ଫଳ ପରେ ଦେଶରେ ବିଶ୍ବାସ ଭରିଛି। ଏହି ବିଜୟର ଆୟମାରମ୍ଭ ଓଡ଼ିଶାରୁ ହୋଇଛି।
ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ସବୁବେଳେ ଅପପ୍ରଚାର କରୁଛନ୍ତି। କିନ୍ତୁ ଜନତା ମୋଦୀ ସରକାରଙ୍କୁ ଆଶୀର୍ବାଦ କରୁଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ କିଛି ଲୋକ କହୁଥିଲେ ଓଡ଼ିଶାରେ ବିଜେପିର ବଳ ନାହିଁ। ମାତ୍ର ନିର୍ବାଚନ ଫଳାଫଳ ଓଲଟା ଦେଖାଗଲା। ଯେଉଁ ରାଜ୍ୟରେ ଆମ ସରକାର ନଥିଲା, ସେଠାରେ ଆମର ଯୋଜନାର ନାମକୁ ବଦଳାଇ ଦେଉଥିଲେ। କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସବୁବେଳେ ସମର୍ଥନ ଦେଇ ଆସୁଛନ୍ତି। କେନ୍ଦ୍ରରେ ଓଡ଼ିଶାର ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରର କାର୍ଯ୍ୟ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ବିଜେପି ନୂଆନୂଆ ଯୋଜନା ଭେଟି ଦେଇଛି। ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟର ସେବା କରିବାକୁ ସୁଯୋଗ ମିଳିଛି। ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀଙ୍କ ସୁଯୋଗ ମିଳିଛି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ବିଶ୍ବର କୋଣଅଣୁକୋଣରେ ଚର୍ଚ୍ଚା ହେଉଛି। ପୂରା ବିଶ୍ବରେ ଭାରତର ପ୍ରଭାବ ବଢ଼ିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତିରେ ବିରୋଧୀମାନେ ବିରୋଧ କରିବା ସ୍ବାଭାବିକ। ରାଜନୈତିକ ଦଳ ଜନତାକୁ ସଚେତନ କରିଥାନ୍ତି। ଆନ୍ଦୋଳନ ଆଗରୁ ହେଉଥିଲା ଏବଂ ଏବେ ବି ହେଉଛି।