
କେନ୍ଦ୍ରାପଡା: ପୁଣି କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ । ନଦୀକୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ ଗୋବରୀ ନଦୀ ମଧ୍ୟକୁ ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଦିନକ ପରେ ମିଳିଲା ମହିଳାଙ୍କ ମୃତଦେହ । ମହାକାଳପଡା ତନ୍ତିଆପାଳ ଥାନା ଅନ୍ତର୍ଗତ ସୁନିତି ପଞ୍ଚାୟତରେ ଏପରି ଘଟଣା ଘଟିଛି । ମୃତ ମହିଳା ହେଉଛନ୍ତି ବେଣାକନ୍ଦା ଗ୍ରାମର ଲକ୍ଷ୍ମୀ ଦଳେଇ । ତାଙ୍କ ଗୋଡ଼ରେ କୁମ୍ଭୀର ଦାନ୍ତର ଦାଗ ରହିଥିବା ଦେଖିବାକୁ ମିଳିଛି ।
ଶୁକ୍ରବାର ଅପରାହ୍ନରେ ଛେଳି ଆଣିବାକୁ ମୃତ ମହିଳା ଜଣଙ୍କ ଗୋବରୀ ନଦୀକୂଳକୁ ଯାଇଥିଲେ । ଏହି ସମୟରେ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏହାପରେ ସ୍ଥାନୀୟ ଲୋକ, ଅଗ୍ନିଶମ ବିଭାଗ ଓ ବନବିଭାଗ ଚେଗୋବରୀ ନଦୀ ମଧ୍ୟରେ ଡଙ୍ଗା ଯୋଗେ ମହିଳାଙ୍କୁ ଖୋଜା ଖୋଜି କରିଥିଲେ। କିନ୍ତୁ କୌଣସି ପତ୍ତା ମିଳିପାରିନଥିଲା ।ଅନ୍ୟପଟେ ଆଜି ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ଗୋଡ଼ରେ କୁମ୍ଭୀର ଦାନ୍ତର ଦାଗ ରହିଥିବା ବେଳେ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିନାହିଁ। ଏନେଇ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ତନ୍ତିଆପାଳ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।








