
ବ୍ରହ୍ମପୁର: ଖୋଡ଼ାସିଙ୍ଗି ଜୀବନ ବୀମା ନିଗମ(ଏଲ୍ଆଇସି) କାର୍ୟ୍ୟାଳୟରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ୩ ଘଣ୍ଟା ସମୟ ଲାଗିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ।
ଏଲଆଇସି ଆଞ୍ଚଳିକ ବରିଷ୍ଠ ଅଧିକାରୀ ଏକେ ପାଟଯୋଶୀ କହିଛନ୍ତି, ସକାଳ ୭ ଟାରେ ଦ୍ଵିତୀୟ ମହଲାରୁ ଧୂଆଁ ବାହାରୁଥିବା ସିକ୍ୟୁରିଟି ଗାର୍ଡ ଦେଖି ଜଣାଇଥିଲେ। ଆସି ଦେଖିବା ବେଳକୁ ଆଇଟି ସେକ୍ସନରେ ଅଗ୍ନିକାଣ୍ଡ ଘଟିଛି। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲୁ। କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଛନ୍ତି। ଆଇଟି ସାଙ୍ଗକୁ ଅନ୍ୟ ଏକ ବିଭାଗର ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି।ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳେଇ କହିଛନ୍ତି, ସକାଳେ ଏଲଆଇସି ଖୋଡ଼ାସୀଙ୍ଗି ଆଞ୍ଚଳିକ ମୁଖ୍ୟ କାର୍ୟ୍ୟାଳୟରେ ଅଗ୍ନିକାଣ୍ଡ ହୋଇଥିବା ଖବର ମିଳିଥିଲା। ବ୍ରହ୍ମପୁର ଅଗ୍ନିଶମ ଓ ଷ୍ଟ୍ରାଇକିଂ ଫୋର୍ସର ୬ ଟି ଟିମ୍ ନିଆଁକୁ ଆୟତ୍ତ ପାଇଁ ଲାଗିଥିଲେ। କମ୍ପ୍ୟୁଟର ରୁମ୍, ବୈଠକ ଗୃହ, ଅଧିକାରୀଙ୍କ କାର୍ୟ୍ୟାଳୟ ସମେତ ୪ ଟି ରୁମ୍ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବାକୁ ୩ ଘଣ୍ଟା ସମୟ ଲାଗିଥିଲା। ଦୁଇ ଦିନ ଅଫିସ ବନ୍ଦ ଥିଲା। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ।



