
ମୁମ୍ବାଇ: ସବୁ କଳ୍ପନାଜଳ୍ପନାର ଶେଷ ହୋଇଛି। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନଭୀସ। ଏଥିସହ ବ୍ୟକ୍ତିଗତ ଭାବେ ତୃତୀୟ ଥର ପାଇଁ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ଶିନ୍ଦେ ଏବଂ ଅଜିତ୍ ପୱାର ମଧ୍ୟ ଶପଥଗ୍ରହଣ କରିଛନ୍ତି। ଏହି ୩ ନେତାଙ୍କୁ ସେମାନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକୃଷ୍ଣନ୍। ଏହି ୩ ନେତା ଆଜି ମରାଠୀ ଭାଷାରେ ନିଜ ନିଜ ଶପଥ ପାଠ କରିବା ଦେଖିବାକୁ ମିଳିଥିଲା। ଶିନ୍ଦେ ନିଜ ଭାଷଣ ଆରମ୍ଭରେ ବାଲାସାହେବ ଠାକ୍ରେ ଏବଂ ଆନନ୍ଦ ଦିଘେଙ୍କ ନାମ ଉଚ୍ଚାରଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ୍ ଶାହଙ୍କୁ ଧନ୍ୟବାଦ ଜଣାଇଥିଲେ।
ମୁମ୍ବାଇସ୍ଥିତ ଆଜାଦ୍ ମୈଦାନରେ ଶପଥ ଗ୍ରହଣ ପାଇଁ ଭବ୍ୟ ଆୟୋଜନ ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ। ତାଙ୍କ ପରେ ଏକନାଥ ଶିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଫଡନଭୀସ ୩ୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ବେଳେ ଏକନାଥ ଶିନ୍ଦେ କିନ୍ତୁ ପ୍ରଥମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଅଜିତ୍ ପୱାର ୬ଷ୍ଠ ଥର ପାଇଁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବାର ଏକ ବିରଳ କୃତୀତ୍ୱ ଅର୍ଜନ କରିଛନ୍ତି। ପ୍ରକାଶ, ଆଜି ଏହି ୩ ନେତାଙ୍କ ବ୍ୟତୀତ ଅନ୍ୟ କୌଣସି ମନ୍ତ୍ରୀ ଶପଥ ଗ୍ରହଣ କରିନାହାନ୍ତି। ଆଗାମୀ ଦିନରେ ନାମ ଚୂଡାନ୍ତ ହେବା ପରେ ମନ୍ତ୍ରୀପଦ ପାଇଁ ମନୋନୀତ ନାମ ଘୋଷଣା କରାଯିବ ଏବଂ ସେମାନେ ଏକ ସ୍ୱତନ୍ତ୍ର ଶପଥ ସମାରୋହରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କୁହାଯାଉଛି।
ପ୍ରକାଶ, ମହାୟୁତି ମେଣ୍ଟ ଦଳ ମଧ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ପଦ ବିଭାଜନ ପାଇଁ ୬-୧ ଫର୍ମୁଲା ସ୍ଥିର ହୋଇଛି। ଅର୍ଥାତ୍ ୬ ଜଣ ବିଧାୟକଙ୍କ କ୍ଷେତ୍ରରେ ଗୋଟିଏ ମନ୍ତ୍ରୀ ପଦ ମିଳିବ। ଏହା ଅଧୀନରେ ବିଜେପିକୁ ୨୦ରୁ ୨୨, ଏକନାଥ ଶିନ୍ଦେ ଗୋଷ୍ଠୀକୁ ୧୨ ଏବଂ ଅଜିତ ପୱାର ଗୋଷ୍ଠୀକୁ ୯ରୁ ୧୦ ମନ୍ତ୍ରୀ ପଦ ମିଳିପାରେ। ଏସବୁ ମଧ୍ୟରେ ଶିନ୍ଦେ, ଫଡନଭୀସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପ୍ରତିବଦଳରେ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାବି କରିଛନ୍ତି ଯାହାକୁ ନେଇ ଆଗାମୀ ଦିନରେ ମେଣ୍ଟ ସହଯୋଗୀ ଦଳଙ୍କ ମଧ୍ୟରେ ଆଲୋଚନା ବୈଠକ ହେବ। ଏଥିରେ ଆଗାମୀ ରଣନୀତି ଓ କ୍ୟାବିନେଟ୍ ଗଠନ ନେଇ ଆଲୋଚନା ହେବ। ଡିସେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି।
ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବା ଦେଖିବାକୁ ମିଳିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜିର ଏହି ଶପଥ ସମାରୋହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହିପରି କାର୍ଯ୍ୟକ୍ରମରେ ରାଜନୀତି ସମେତ କ୍ରୀଡ଼ା, ଫିଲ୍ମ ଓ ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଶପଥ ଗ୍ରହଣ ପୂର୍ବରୁ ସେଠାରେ ସଚିନ ତେନ୍ଦୁଲକରଙ୍କ ସମେତ ଅମ୍ବାନୀ ପରିବାର ସଦସ୍ୟ, ସଲମାନ ଖାନ, ଶାହରୁଖ ଖାନ, ରଣବୀର ସିଂହଙ୍କ ପରି ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗଦେଇଥିଲେ।




