ଭୁବନେଶ୍ୱର: ବିଧାନସଭାରେ ଶୁକ୍ରବାର ପାରିତ ହୋଇଛି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ରାଜ୍ୟ ସରକାର ଏହି ବିଲ୍ ଆଣିଛନ୍ତି। ନୂଆ ବିଲ୍ରେ କଠୋର ଦଣ୍ଡବିଧାନ ସହ ଜରିମାନା ବ୍ୟବସ୍ଥା ରହିଛି।
ଯଦି କୌଣସି ବ୍ୟକ୍ତିବିଶେଷ ଏହି ଅଧିନିୟମ ଅଧୀନରେ ଅପରାଧ କରି ପ୍ରମାଣିତ ହୁଅନ୍ତି ତେବେ ସେ ଅତି କମରେ ୩ରୁ ୫ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଭୋଗିବେ। ଏପରିକି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଜରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଅନୁସାରେ ଦଣ୍ଡିତ ହେବେ।
ଅନ୍ୟପକ୍ଷେ ସେବା ଯୋଗାଣକାରୀ ସଂସ୍ଥା ତ୍ରୁଟି କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ। ଏପରିକି ସେବା ଯୋଗାଣକାରୀଙ୍କଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ ଏବଂ ୪ ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଞ୍ଚାଳନରେ ପ୍ରତିବନ୍ଧକ ଲଗାଯିବ।



