ଏନଆଇଟି ହେବ ଓଡ଼ିଶା ଏବଂ ଭାରତର ‘ଅଭିବୃଦ୍ଧିର ଇଞ୍ଜିନ’ – ଧର୍ମେନ୍ଦ୍ର

ରାଉରକେଲା: ରାଉରକେଲା ଏଆଇଟି ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀମାନେ ନିଜସ୍ୱ ଷ୍ଟାର୍ଟଅପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାର ସାମର୍ଥ୍ୟ ରଖୁଛନ୍ତି । ଆଗାମୀ ଦିନରେ ସମାଜର ଜଟିଳ ସମସ୍ୟା ଯଥା- ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ଗବେଷଣା ନୂଆ ଦିଗ ଦେଖାଇବ । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଏବଂ ଏନଆଇଟିର ମିଳିତ ସହଯୋଗରେ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ଏନଆଇଟି କ୍ୟାମ୍ପସ ପରିସରରେ ୩୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି । ଏହି ପରିସରରେ ବ୍ୟାଡମିଣ୍ଟନ କୋର୍ଟ ବିଶିଷ୍ଟ ବହମୁଖୀ ସଭାଗୃହ, ଓପନ ଏୟାର ଥିଏଟର ଏବଂ ଆନୁଷଙ୍ଗିକ ସୁବିଧା ରହିଛି । ସେହିପରି ୯୧.୧୮ କୋଟି ଟଙ୍କା ବ୍ୟୟରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ନୂତନ ଭବନ, ୫୫.୩୫ କୋଟି ଟଙ୍କା ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ, ୩୩.୫୧ କୋଟି ଟଙ୍କା ବ୍ୟୟରେ ଅତିଥି ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଥିଲେ ଲୋକାର୍ପିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ଛାତ୍ରଛାତ୍ରୀମାନଙ୍କୁ କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ବରଂ ସୃଜନଶୀଳ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ନୂତନ ଶିଖରରେ ପହଞ୍ଚାଇବାରେ ସାହାଯ୍ୟ କରିବ । ସେହିପରି ଶିଳାନ୍ୟାସ ହୋଇଥିବା ନୂତନ ସୁବିଧା ସୁଯୋଗଗୁଡ଼ିକ ଦ୍ୱାରା ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ଏବଂ ଏନଆଇଟି ରାଉରକେଲାର ପରିଚୟ ସୁଦୂରପ୍ରସାର ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲା କେବଳ ଏକ ସହର ନୁହେଁ ବରଂ ଲୋକଙ୍କ ଭାବାବେଗ ସହ ଜଡ଼ିତ । ଓଡ଼ିଶା ତଥା ଦେଶର ଶିଳ୍ପ ଏବଂ ଶିକ୍ଷାର ଏକ ପ୍ରମୁଖ ସ୍ତମ୍ଭ । ଏଠାରେ ସ୍ଥାପିତ ଏନଆଇଟି ଏନଆଇଆରଏଫ ରାଙ୍କିଂରେ ଦେଶର ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ ଅନୁଷ୍ଠାନ ମଧ୍ୟରେ ୧୩ତମ ସ୍ଥାନରେ ଅଛି । ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏଏନଆରଏଫ) ର ପ୍ରତିଷ୍ଠିତ ପେୟାର କାର୍ଯ୍ୟକ୍ରମ ଅଧୀନରେ ଏନଆଇଟି ରାଉରକେଲାକୁ ଦେଶର ୭ଟି ହବ୍ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଭାବେ ଚୟନ କରାଯାଇଛି । ଏହି ଅନୁଷ୍ଠାନର ପୁରାତନ ଛାତ୍ର ଦେବେନ୍ଦ୍ର ପ୍ରଧାନ ଏବଂ ବିଶ୍ୱଜିତ୍ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ ‘କୋରାଟିଆ ଟେକ୍ନୋଲୋଜି’ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଛି । ଅଣ୍ଡର-ୱାଟର ରୋବୋଟିକ୍ସରେ ବିଶେଷଜ୍ଞତା ହାସଲ କରିଥିବା ଏହି ଷ୍ଟାର୍ଟଅପ୍ ଏମଜିଏଫ କବଚ୍ଚରୁ ୧୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହାସଲ କରିଛି । ଏହି କମ୍ପାନୀ ଭାରତୀୟ ନୌସେନାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଣ୍ଡର ଓ୍ୱାଟର ରିମୋଟଲି ଅପରେଟେଡ ଭେଇକିଲ (ୟୁଡବ୍ଲୁଆରଓଭି) ଯୋଗାଇବା ପାଇଁ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଛି । ଏହି ଉଦାହରଣ ପ୍ରମାଣ କରୁଛି ଯେ ଏନଆଇଟି ରାଉରକେଲା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଦେଶର ସମସ୍ୟା ସମାଧାନର ଏକ କେନ୍ଦ୍ର ପାଲଟିଛି ।

ଏହି ଶିକ୍ଷାନୁଷ୍ଠାନର ଆଲୁମିନି ଜୀବନ୍ତ ଏବଂ ଏନଆଇଟି ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଉରକେଲାର ଗ୍ରୋଥ୍ ଇଞ୍ଜିନ । ଏହି ଶିକ୍ଷାନୁଷ୍ଠାନରେ ଏଆଇ ଓ ରୋବୋଟିକ୍ସ ଭଳି ଆଧୁନିକ ବିଷୟ ଯୋଡାଯାଇଛି । ଆଗାମୀ ଦିନରେ ଦେଶରେ ଏକ ପ୍ରମୁଖ ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର ଏନଆଇଟି ରାଉରକେଲା ହେବ ବୋଲି ଆଶା । ଅପରପକ୍ଷରେ ରାଉରକେଲା ଇସ୍ପାତ୍ କାରଖାନାରେ ପ୍ରାୟ ୫ ମିଲିୟନ ଟନ ଷ୍ଟିଲ୍ ଉତ୍ପାଦନ କରାଯାଉଛି । ଏହାକୁ ୨୦୩୦ ସୁଦ୍ଧା ୯.୮ ମିଲିୟନ ଟନକୁ ବଢାଇ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ୱାରା ପାଖାପାଖି ୩୫ ରୁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ, ଯଦ୍ୱାରା ରୋଜଗାରର ଅବସର ବଢିବ ।

୧୯୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ଓଡ଼ିଶା ଯେତେବେଳେ ୨୦୩୬ରେ ଶହେ ବର୍ଷ ପୂରଣ କରିବ, ଭାରତ ଯେତେବେଳେ ୨୦୪୭ରେ ନିଜର ସ୍ୱାଧୀନତାର ଶହେ ବର୍ଷ ପାଳନ କରିବ, ସେତେବେଳେ ଏନଆଇଟି ରାଉରକେଲା ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଭୂମିକା ନିର୍ଣ୍ଣାୟକ ହେବ ।

ଏହି ଅବସରରେ ଶ୍ରୀ ପ୍ରଧାନ ଏନଆଇଟି କ୍ୟାମ୍ପସ ପରିସରରେ ନିର୍ମାଣାଧୀନ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ବ୍ୟାଡମିଣ୍ଟନ ଖେଳିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ, ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତି, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ