
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ବର୍ଷାର ପରିମାଣ ବହୁ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।
ସେ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ୟ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହେବ। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଓ ସୋନପୁର ଆଦି ଜିଲ୍ଲାରେ ଆଜିଠାରୁ ବର୍ଷା କମିଯିବ। କାଲିଠାରୁ ବର୍ଷାର ପରିମାଣ ବହୁତ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହିତ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି।ଅନ୍ୟପକ୍ଷରେ ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦୁଝର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।




