ରାଜ୍ୟସଭା ନିର୍ବାଚନ: ଆଦୌ ସ୍ବାଭାବିକ ହେବନି ମତଦାନ!

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ଆଦୌ ସ୍ବାଭାବିକ ହେବନି ମତଦାନ। ବିରୋଧୀ ବିଜେଡି ଓ କଂଗ୍ରେସରେ କିଛି ଭୋଟ୍ ଗଡ଼ବଡ଼ ହେବା ଥୟ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ କିଛି ବିଧାୟକ ବାଡ଼ ଡେଇଁବେ। ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଯେପରି ପ୍ରଥମ ପସନ୍ଦରେ ମ୍ୟାଜିକ୍ ନମ୍ବର ଛୁଇଁବେ, ସେଥି ପାଇଁ ଭୁବନେଶ୍ବରଠାରୁ ନୂଆଦିଲ୍ଲୀ ଯାଏଁ ରଣନୀତି ହୋଇସାରିଛି। କଂଗ୍ରେସରେ ଗଡ଼ବଡ଼ର ସ୍ପଷ୍ଟ ଆଭାସ ମିଳିଗଲାଣି। ବିଧାୟକ ଦାଶରଥି ଗମାଙ୍ଗୋ ଦୁଇଦିନ ହେଲା କାହାରିକୁ ଧରାଛୁଆଁ ଦେଉ ନାହାନ୍ତି। ବେଙ୍ଗାଲୁରୁ ଯିବା ପାଇଁ ତାଙ୍କ ନାମ ତାଲିକାଭୁକ୍ତ ହୋଇଥିଲେ ବି ସେ ଯାଇ ନଥିଲେ। ଗତକାଲି ବିଧାନସଭା ଆସି ନଥିଲେ, ଆଉ ଆଜି ଦିନତମାମ ଗଣମାଧ୍ୟମରେ ତାଙ୍କ ନିଖୋଜ ସମ୍ପର୍କରେ ଖବର ବାଜୁଥିଲେ ମଧ୍ୟ ସେ ଆଗକୁ ଆସି ସ୍ପଷ୍ଟୀକରଣ ରଖୁ ନାହାନ୍ତି। କଂଗ୍ରେସର ସବୁ ଉପର ସ୍ତରର ନେତା ଯୋଗାଯୋଗ କରି ଆପାତତଃ ବିଫଳ ହୋଇଗଲେଣି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଏ ନେଇ ଅସହାୟତା ପ୍ରକାଶ କରୁଛନ୍ତି। ଦାଶରଥିଙ୍କ ସହ ଯୋଗାଯୋଗ ହୋଇପାରୁନି ବୋଲି ସେ ମାନିଛନ୍ତି। କିନ୍ତୁ ଦଳର ନିଷ୍ପତ୍ତିକୁ ସେ ମାନିବେ ବୋଲି ଆଶାପ୍ରକଟ କରିଛନ୍ତି।
କଂଗ୍ରେସ ବିଧାୟକ ସୋଫିଆ ଫିର୍‌ଦୋସ ମଧ୍ୟ ଦଳ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ଦଳର ନିଷ୍ପତ୍ତି ମାନିବେ ବୋଲି ଦୁଇ ଦିନ ତଳେ କହୁଥିବା ସୋଫିଆ ଆଜି ୟୁ-ଟର୍ଣ୍ଣ ନେଇଛନ୍ତି। ବରଂ ବିଜେଡି ସହ କଂଗ୍ରେସର ଏହି ବୁଝାମଣାକୁ ନାପସନ୍ଦ କରିବା ସହ ଦଳର କାର୍ୟ୍ୟଧାରାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ବାପା ମହମ୍ମଦ ମୋକିମଙ୍କୁ କଂଗ୍ରେସ ନିଲମ୍ବନ କରିଥିବାରୁ ସୋଫିଆ ଠିକ୍ ସମୟରେ ପ୍ରତିଶୋଧ ନେବେ ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଥିଲା। ଆଜି ତାଙ୍କ ବକ୍ତବ୍ୟରୁ ସେମିତି ଆଭାସ ମିଳିଛି। ଦାଶରଥୀ ଓ ସୋଫିଆଙ୍କ ବାଦ୍ କଂଗ୍ରେସର ଆଉ ଦୁଇ ଜଣ ବିଧାୟକ ବି ସନ୍ଦେହ ଘେରରେ ଅଛନ୍ତି। ସେମାନଙ୍କ ନାଁକୁ ନେଇ ଦଳ ଭିତରେ ଜୋରଦାର ଚର୍ଚ୍ଚା ଚାଲିଛି। ଆସନ୍ତାକାଲି ରାତି ସୁଦ୍ଧା ଏହି ଚିତ୍ର ଆହୁରି ସ୍ପଷ୍ଟ ହେବ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସବୁ ପ୍ରକାର କସରତ ସତ୍ତ୍ବେ ୩ରୁ ୪ ଭୋଟ୍ ଗଡ଼ବଡ଼ ହେବା ଏକପ୍ରକାର ନିଶ୍ଚିତ। ଏମିତିରେ ତିନି ଜଣ ବିଧାୟକ ଗତକାଲିଠାରୁ ବିଜେଡି ବୈଠକରେ ସାମିଲ ହେଉନାହାନ୍ତି। ସେମାନେ ହେଲେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କଅଁର। ଏମାନଙ୍କ ମଧ୍ୟରୁ ସୌଭିକ ବିଗିଡ଼ିବା ସ୍ବାଭାବିକ। କାରଣ ତାଙ୍କ ବାପା ପ୍ରଭାତ ବିଶ୍ବାଳଙ୍କୁ ଦଳରୁ ବହିଷ୍କାର କରାଯିବା ସହ ଅପମାନିତ କରାଯାଇଛି। ସୌଭିକଙ୍କୁ ଏହି ଅପମାନ ଆଘାତ ଦେଇଛି ବୋଲି ନିଜେ ପ୍ରଭାତ ଆଜି ଗଣମାଧ୍ୟମକୁ କହିଛନ୍ତି। ତେଣୁ ସୌଭିକଙ୍କୁ ବୁଝାଇବା ପାଇଁ ଦଳର କିଛି ବିଧାୟକ ଉଦ୍ୟମ କରିଥିଲେ ହେଁ ସେଥିରେ ସଫଳ ହୋଇ ନାହାନ୍ତି। ନବକିଶୋର ଓ ଚକ୍ରମଣିଙ୍କ ଅନୁପସ୍ଥିତି ବେଶ୍ ରହସ୍ୟଜନକ ହୋଇପଡ଼ିଛି। ଏହି ତିନି ଜଣଙ୍କ ବାଦ୍ ଆଉ ଦୁଇ ଜଣ ସନ୍ଦେହ ଘେରରେ ଅଛନ୍ତି। ବୈଠକରେ ସାମିଲ ହେଉଥିଲେ ବି ସେମାନଙ୍କ ଭୋଟ୍ ବିଜେଡି ସପକ୍ଷରେ ରହିବ ବୋଲି ଗ୍ୟାରେଣ୍ଟି ନାହିଁ। ଦଳର ସଭାପତି ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏ ସମ୍ପର୍କରେ ଜାଣିସାରିଲେଣି। ତଥାପି ସମସ୍ତଙ୍କୁ ଏକଜୁଟ୍ ରଖିବାକୁ ଶେଷ ପ୍ରୟାସ କରୁଛନ୍ତି।
ବର୍ତ୍ତମାନ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ବିଜେପିର ୨୨ଟି ଭୋଟ୍ ରହିଛି। ବିଜେଡିରୁ ଦୁଇ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ଭୋଟ୍ ବି ଦିଲୀପଙ୍କ ପାଖକୁ ଯିବା ଏକପ୍ରକାର ନିଶ୍ଚିତ। ତେଣୁ ଜିତିବା ପାଇଁ ତାଙ୍କୁ ପ୍ରଥମ ପସନ୍ଦରେ ଆଉ ୬ଟି ଭୋଟ୍ ଦରକାର। ବିଜେଡି ଓ କଂଗ୍ରେସରୁ ଅତି କମ୍‌‌ରେ ୮ରୁ ୧୦ଟି ଭୋଟ୍ ଟାଣିବା ପାଇଁ ଶାସକ ଦଳ ପକ୍ଷରୁ ଉଦ୍ୟମ କରାଯାଇଛି। ଏପରିକି ଯଦି ବିରୋଧୀ ଦଳର କିଛି ବିଧାୟକ ଅନୁପସ୍ଥିତ ରହିଯା’ନ୍ତି, ତେବେ ଭୋଟ୍ ଗଣିତ ଓଲଟପାଲଟ ହେବ। ସେଥିରେ ବି ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଫାଇଦାରେ ରହିପାରନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ନେତାଙ୍କ ସହ ଯୋଗାଯୋଗ କରି ଦିଲୀପଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କ ଭୋଟ୍ ଗଡ଼ବଡ଼ କରାଇବାରେ ବିଜେପି ସଫଳ ହୋଇସାରିଛି ଏବଂ କେବଳ ମତଦାନ ଦିବସକୁ ଅପେକ୍ଷା ବୋଲି କିଛି ବରିଷ୍ଠ ନେତା କହିଛନ୍ତି। ବିଜେପିରେ ଯେ ଅସନ୍ତୋଷ ନାହିଁ, ତାହା ନୁହେଁ। କିନ୍ତୁ ବିଜେପିରୁ କ୍ରସ୍ ଭୋଟିଂ ହେବାର ସମ୍ଭାବନା ଆପାତତଃ ନାହିଁ। ଯେହେତୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ଶାସନରେ ଅଛି, ତେଣୁ ଦଳର ନିଷ୍ପତ୍ତି ବିରୋଧରେ କେହି ଯିବାକୁ ନ ଚାହିବା ସ୍ବାଭାବିକ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ