
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଫେବୃଆରୀ ୧୯ରେ ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫି। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର କାର୍ୟ୍ୟସୂଚୀ ମଙ୍ଗଳବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ପାକିସ୍ତାନ ଓ ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜନ ହେଉଛି। କେବଳ ଭାରତ ଖେଳିବାକୁ ଥିବା ମ୍ୟାଚ୍ ଗୁଡିକ ଦୁବାଇରେ ଖେଳାଯିବ ଅନ୍ୟ ମ୍ୟାଚ୍ ଗୁଡିକ ପାକିସ୍ତାନରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହୋଇଥିବାବେଳେ ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ।
ଆଠଟି ଦଳକୁ ନେଇ ଏହି ଟୁର୍ନାମେଣ୍ଟରେ ୧୫ଟି ମ୍ୟାଚ୍ ହେବ। ଭାରତୀୟ ଦଳର ସମସ୍ତ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଦୁବାଇରେ ଖେଳାଯିବ। ଅନ୍ୟ ଦଳର ମ୍ୟାଚ୍ କେବଳ ପାକିସ୍ତାନରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ୧୯ ଦିନ ଚାଲିବ। ପାକିସ୍ତାନର ରାୱଲପିଣ୍ଡି, ଲାହୋର ଏବଂ କରାଚି ଏହି ମ୍ୟାଚ୍ ଆୟୋଜନ କରିବେ। ପାକିସ୍ତାନର ପ୍ରତ୍ୟେକ ଗ୍ରାଉଣ୍ଡରେ ତିନୋଟି ଗ୍ରୁପ୍ ମ୍ୟାଚ୍ ଖେଳାଯିବ। ଯଦି ଭାରତ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରେ ନାହିଁ, ତେବେ ଲାହୋର ମଧ୍ୟ ମାର୍ଚ୍ଚ ୯ ରେ ଫାଇନାଲ ଆୟୋଜନ କରିବ । ଯଦି ଭାରତ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରେ ତେବେ ଫାଇନାଲ ଦୁବାଇରେ ଖେଳାଯିବ। ଉଭୟ ସେମିଫାଇନାଲ ଏବଂ ଫାଇନାଲରେ ରିଜର୍ଭ ଡେ ରହିବ। ଭାରତ ଖେଳିବାକୁ ଥିବା ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଭାରତ ସହିତ ଜଡିତ ପ୍ରଥମ ସେମିଫାଇନାଲ୍ ଦୁବାଇରେ ଖେଳାଯିବ।
ଡିଫେଣ୍ଡିଂ ଚାମ୍ପିଅନ୍ ପାକିସ୍ତାନ ଫେବୃଆରୀ ୧୯ରେ କରାଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ଖେଳିବ। ପାକିସ୍ତାନର ଶେଷ ଲିଗ୍ ମ୍ୟାଚ୍ ୨୭ ଫେବୃଆରୀରେ ରାୱଲପିଣ୍ଡିରେ ବାଂଲାଦେଶ ବିପକ୍ଷରେ ଖେଳିବ। ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ୨୩ ଫେବୃଆରୀ (ରବିବାର) ଖେଳାଯିବ।




