
ନୂଆଦିଲ୍ଲୀ: ଏଥର ବିଜେପି ଚାନ୍ଦା ଆକାରରେ ପାଇଛି ପୁଳାପୁଳା ଟଙ୍କା। ବିରୋଧୀଙ୍କୁ ବହୁତ ପଛରେ ପକାଇଛି ଶାସକ ଦଳ। ପୂର୍ବ ବର୍ଷ ଅପେକ୍ଷା ବିଜେପିର ଖାତାକୁ ଏଥର ଆସିଛି ତିନି ଗୁଣ ଅଧିକ ପାଣ୍ଠି। ନିର୍ବାଚନ ପୂର୍ବରୁ ଏହି ଟଙ୍କା ବିଜେପିର ଖାତାକୁ ଆସିଛି। ସାମ୍ନାକୁ ଆସିଥିବା ଏକ ରପୋର୍ଟରେ ଏହାର ଖୁଲାସା ହୋଇଛି।
୨୦୨୩-୨୪ରେ ବିଜେପିକୁ ବ୍ୟକ୍ତି, ଟ୍ରଷ୍ଟ ଏବଂ କର୍ପୋରେଟ୍ ହାଉସ୍ ଠାରୁ ୨୦ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ ବାବଦରେ ପ୍ରାୟ ୨,୨୪୪ କୋଟି ଟଙ୍କା ମିଳିଛି। ଯାହା କି ୨୦୨୨-୨୩ରେ ମିଳିଥିବା ଚାନ୍ଦା ବା ଦାନ ରାଶିଠାରୁ ତିନି ଗୁଣା ଅଧିକ। ଅନ୍ୟପକ୍ଷରେ କଂଗ୍ରେସ ୨୦୨୩-୨୪ରେ ସମାନ ମାର୍ଗଦେଇ ୨୮୮.୯ କୋଟି ଟଙ୍କା ପାଇଛି। ପୂର୍ବ ବର୍ଷ ଏହା ୭୯.୯ କୋଟି ଟଙ୍କା ଥିଲା।ନିର୍ବାଚନ ଆୟୋଗ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟରୁ ବିଜେପିକୁ ୭୨୩.୬ କୋଟି ଟଙ୍କାର ଚାନ୍ଦା ଓ କଂଗ୍ରେସକୁ ୧୫୬.୪ କୋଟି ଟଙ୍କାର ଚାନ୍ଦା ମିଳିଛି। ସରଳ ଭାଷାରେ କହିବାକୁ ଗଲେ ବିଜେପିର ପ୍ରାୟ ଏକ ତୃତୀୟାଂଶ ଏବଂ କଂଗ୍ରେସର ଅଧାରୁ ଅଧିକ ଚାନ୍ଦା ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟରୁ ଆସିଛି।
ଚଳିତ ବର୍ଷ କଂଗ୍ରେସ ତୁଳନାରେ ବିଜେପି ୭୭୬.୮୨% ଅଧିକ ଚାନ୍ଦା ପାଇଛି। ୨୦୨୩-୨୪ ମସିହାରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି। ବିଆର୍ଏସ୍କୁ ୫୮୦ କୋଟି ଟଙ୍କା ମିଳିଛି। ସେହିପରି କଂଗ୍ରେସ ତୃତୀୟ ସ୍ଥାନରେ ରହି ୨୮୯ କୋଟି ଟଙ୍କା ଚାନ୍ଦା ପାଇଛି।୨୦୨୩-୨୪ରେ ବିଜେପିର ଅବଦାନ ୨୧୨% ବୃଦ୍ଧି ପାଇଛି, ଯାହା ସାଧାରଣ ନିର୍ବାଚନ ବର୍ଷଠାରୁ ଅସ୍ୱାଭାବିକ ନୁହେଁ। ସାଧାରଣ ନିର୍ବାଚନର ବର୍ଷକ ପୂର୍ବରୁ ଅର୍ଥାତ୍ ୨୦୧୮-୧୯ରେ ବିଜେପି ୭୪୨ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବା ବେଳେ କଂଗ୍ରେସ ୧୪୬.୮ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲା।
ବିଜେପିକୁ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ୮୫୦ କୋଟି ଟଙ୍କା ମିଳିଥିବା ବେଳେ ପ୍ରୁଡେଣ୍ଟଠାରୁ ୭୨୩ କୋଟି ଟଙ୍କା, ଟ୍ରାଇମ୍ଫ ଇଲେକ୍ଟୋରାଲ ଟ୍ରଷ୍ଟରୁ ୧୨୭ କୋଟି ଟଙ୍କା ଏବଂ ଇନଜିଗାର୍ଟ ଇଲେକ୍ଟୋରାଲ ଟ୍ରଷ୍ଟରୁ ୧୭.୨ ଲକ୍ଷ ଟଙ୍କା ମିଳିଛି। ଟ୍ରଷ୍ଟ ଜରିଆରେ କଂଗ୍ରେସକୁ ୧୫୬ କୋଟି ଟଙ୍କାର ଚାନ୍ଦା ମିଳିଥିଲା, ଯେଉଁଥିରୁ ପ୍ରୁଡେଣ୍ଟ ଏକମାତ୍ର ଦାତା ଥିଲେ।
୨୦୨୩-୨୪ରେ ବିଆରଏସ ଓ ୱାଇଏସଆର କଂଗ୍ରେସକୁ ୮୫ କୋଟି ଏବଂ ୬୨.୫ କୋଟି ଟଙ୍କା ପ୍ରଦାନ କରିଥିଲେ। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଶାସକ ଦଳ ଟିଡିପିକୁ ପ୍ରୁଡେଣ୍ଟଠାରୁ ୩୩ କୋଟି ଟଙ୍କା ମିଳିଛି। ଡିଏମକେକୁ ଯଥାକ୍ରମେ ଟ୍ରାଇମ୍ଫ ଇଲେକ୍ଟୋରାଲ ଟ୍ରଷ୍ଟ ଏବଂ ଜୟଭାରତ ଟ୍ରଷ୍ଟରୁ ୮ କୋଟି ଟଙ୍କାର ଅନୁଦାନ ମିଳିଥିଲା।




