ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ଅଭିଯାନ: ପ୍ରଥମ ଦିନରେ ୯ କୋଟି ୫୭ ଲକ୍ଷ ୫୯ହଜାର ୫୦୪ଟଙ୍କାର ଜରିମାନା

କଟକ/ଭୁବନେଶ୍ୱର: କଟକରୁ କୋରାପୁଟ, ବାଲେଶ୍ୱରରୁ ବରଗଡ଼ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ। ପ୍ରଥମ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ମୋଟର ଯାନ ଆଇନ ଉଲ୍ଲଙ୍ଘନ ଯୋଗୁଁ ଉଲ୍ଳଂଘନକାରୀଙ୍କ ବିରୋଧରେ ଜାରି ହୋଇଛି ୧୭ ହଜାର ୮୩୧ ଟି ଇ-ଚାଲାଣ। ଏହିଁ ଚାଲାଣ ବାବଦରେ ୯ କୋଟି ୫୭ ଲକ୍ଷ ୫୯ହଜାର ୫୦୪ ଟଙ୍କାର ଜରିମାନା ଲାଗୁ କରାଯାଇଛି । କେବଳ ଏତିକି ନୁହେଁ ସଡ଼କ ସୁରକ୍ଷା ନିୟମର ଗୁରୁତର ଉଲ୍ଲଙ୍ଘନ ଯୋଗୁଁ ୬୪ଟି ଗାଡ଼ିକୁ ଅଟକ ରଖାଯାଇଛି। ପ୍ରତିଦିନ ଉଭୟ ସକାଳେ ଓ ସନ୍ଧ୍ୟାରେ ଏଭଳି ଏନଫୋର୍ସମେଣ୍ଟ ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମାର୍ଚ୍ଚ ୩୧ ଯାଏଁ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିବ । ତେବେ କେବଳ ଏନଫୋର୍ସମେଣ୍ଟ ନୁହେଁ ଏହି ସମୟ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ଆରଟିଓମାନେ । ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କ ସହ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନର ଆବଶ୍ୟକତା ସମ୍ପର୍କରେ ବୁଝାଯାଇଛି।
ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ଏହି ଅଭିଯାନ ଅଧୀନରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ RTO ମାନେ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି।
ଏହି ଅଭିଯାନ ସମୟରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ଗୁଡ଼ିକ ରୋକିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଯେପରିକି ଦ୍ରୁତଗତି, ମଦ୍ୟପାନ କରି ଡ୍ରାଇଭିଂ କରିବା, ବିନା ହେଲମେଟରେ ବାଇକ୍ ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଅବୈଧ ପାର୍କିଂ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ଏବଂ ଓଭରଲୋଡିଂ ଭଳି ନିୟମ ଉଲ୍ଲଙ୍ଘନ ପରି ମୋଟର ଯାନ ନିୟମ ଉଲ୍ଲଂଘନକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏଥିପାଇଁ ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏନଫୋର୍ସମେଣ୍ଟ ଅଧିକ କରାଯାଉଛି। ଏହା ସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀ ଯାନଗୁଡ଼ିକର ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଏହି ଅଭିଯାନକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରିବହନ ବିଭାଗ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ସାମିଲ ହୋଇ ମିଳିତ ଭାବେ ଏନଫୋର୍ସମେଣ୍ଟ କରାଯାଉଛି।
ଏନଫୋର୍ସମେଣ୍ଟ ସହିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ହେଲମେଟ୍, ସିଟବେଲ୍ଟ ସଚେତନତା, ଦ୍ରୁତଗତିର ଭୟାବହତା ଇତ୍ୟାଦି ସଂପର୍କରେ ସଡ଼କ ବ୍ୟବହାରକାରୀଙ୍କୁ ବୁଝାଯାଇଥିଲା ।
ଭୁବନେଶ୍ୱରରେ ଦୂରଗାମୀ ବସ୍ ଚାଳକ ଓ କର୍ମଚାରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିଭଳି ଯାଜପୁରରେ ପରିବେଶ ସୁରକ୍ଷା ପାଇଁ ଯାନବାହନ ପ୍ରଦୂଷଣ ରୋକିବାକୁ ଏକ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଢେଙ୍କାନାଳରେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚକୋଲେଟ୍, ଫୁଲ ଦେଇ ସଚେତନ କରାଯାଇଥିଲା। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଜନସାଧାରଙ୍କ ସହ ସଡ଼କ ସୁରକ୍ଷା ଆଲୋଚନା କାର୍ଯ୍ୟକ୍ରମ କରାଯାଇଛି।
ଏହସହ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ଚାଳକ ଓ ଯାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ପରାମର୍ଶ କାର୍ଯ୍ୟକ୍ରମ, ଗାଡ଼ି ମାଲିକ ସଂଘ ଓ ପରିବହନ ୟୁନିଅନ ସହିତ ଆଲୋଚନା ଏବଂ ଶିକ୍ଷାନୁଷ୍ଠାନ ତଥା ସାର୍ବଜନୀନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ପାଇଁ ନିଷ୍ପତ୍ତି ହୋଇଛି।
ସଡ଼କ ସୁରକ୍ଷାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନ- ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ ବା କମ୍ ହୋମ୍ ସେଫ୍ ଆଧାରରେ ଏହି ଅଭିଯାନ କରାଯାଇଛି। ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ଏବଂ ସମସ୍ତଙ୍କ ପାଇଁ ସଡ଼କକୁ ସୁରକ୍ଷିତ କରିବାରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ସଡ଼କ ସୁରକ୍ଷା ଅଭିଯାନ ଏହ ସାମୂହିକ ଦାୟିତ୍ୱ । ଏହା ଜୀବନ ରକ୍ଷାର ଏକ ମହତ ଅଭିଯାନ । ତେଣୁ ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ