‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ

ଭୁବନେଶ୍ୱର :କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ୨୦୨୬ରୁ ୨୦୩୬ – ଆଗାମୀ ୧୦ ବର୍ଷ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠନର ଶତାବ୍ଦୀ ପୂର୍ତ୍ତି ଅଭିମୁଖେ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ବୋଲି ଅଭିହିତ କରିବା ସହ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ।ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜିର ଦିନ କେବଳ ଏକ ତାରିଖ ନୁହେଁ, ଏହା ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସଂଘର୍ଷର ବିଜୟ ଉତ୍ସବ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଆମ ମହାପୁରୁଷମାନଙ୍କର ଅତୁଳନୀୟ ଅବଦାନ ରହିଛି । ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବାକୁ ଥିବାବେଳେ, କେନ୍ଦ୍ରମନ୍ତ୍ରୀ ପ୍ରତ୍ୟେକ ଓଡ଼ିଆଙ୍କୁ ୧୦ଟି ସଂକଳ୍ପ ନେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଆଜି ଠାରୁ ଠିକ୍ ୧୦ ବର୍ଷ ପରେ ୨୦୩୬ରେ ଆମ ରାଜ୍ୟ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆମ ଦେଶ ସ୍ୱାଧୀନତାର ଶତାବ୍ଦୀ ପୂରଣ କରିବ । ଏଥିପାଇଁ ଆଗାମୀ ୧୦ ବର୍ଷରୁ ୨୧ ବର୍ଷ ଅତ୍ୟନ୍ତ ନିର୍ଣ୍ଣାୟକ ଓ ମହତ୍ତ୍ୱପୂର୍ଣ୍ଣ । ତେଣୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଆତ୍ମସମୀକ୍ଷାର ଦିନ । ଏହି ସମୟରେ ଆମକୁ ସଂକଳ୍ପ ନେବାକୁ ହେବ ଯେ –ଆମେ ଆମର ମାତୃଭାଷାକୁ ସମ୍ମାନ ଦେବା ଏବଂ ଏହାର ପ୍ରଚାର ପ୍ରସାର କରିବା । ଓଡ଼ିଶାର ବିକାଶ ଓ ପ୍ରଗତିରେ ନିଜ ନିଜ କ୍ଷେତ୍ରରେ ଅବଦାନ ଦେବା । ଜାତି, ଧର୍ମ ଓ ଭେଦଭାବ ଭୁଲି ଏକ ସମୃଦ୍ଧ ଏବଂ ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବା । ପ୍ରତ୍ୟେକ ଶିଶୁଙ୍କ ପାଖରେ ପୁଷ୍ଟିକର ଆହାର ପହଞ୍ଚାଇବା ପାଇଁ ସାମୂହିକ ଦାୟିତ୍ୱ ନେବା । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା । ଆମର ବିଦ୍ୟାଳୟ, ମନ୍ଦିର, ଐତିହ୍ୟ ସ୍ଥଳୀ ଓ ରାସ୍ତାଘାଟକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା । ଜଳ ଓ ଶକ୍ତିର ସଂରକ୍ଷଣ କରି ପ୍ରକୃତିର ସୁରକ୍ଷା କରିବା । ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ସ୍ଥିତି ବା ଯେକୌଣସି ଘଡ଼ିସନ୍ଧି ମୁହୂର୍ତ୍ତରେ ଧୈର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଭୟଭୀତ ନ ହେବା ପାଇଁ ସାହସ ଓ ସହଯୋଗ ପ୍ରଦାନ କରିବା । ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ’ ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସ୍ଥାନୀୟ ସାମଗ୍ରୀକୁ ପୋତ୍ସାହନ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବା । ସର୍ବୋପରି, ଜଣେ ସଚେତନ ନାଗରିକ ଭାବେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ନିଜର କର୍ତ୍ତବ୍ୟ ସମ୍ପାଦନ କରିବା । ଏହି ସଂକଳ୍ପ ଗୁଡ଼ିକ ହିଁ ଆମକୁ ଆଗାମୀ ଦିନରେ ଏକ ସ୍ୱାଭିମାନୀ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନର ମାର୍ଗ ଦେଖାଇବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ଆମ ରାଜ୍ୟ ଓଡ଼ିଶା ହେଉଛି କଳା, ସଂସ୍କୃତି, ଭାଷା ଏବଂ ଅଦମ୍ୟ ସାହସର ଏକ ସଂଗମ ସ୍ଥଳ କୋଣାର୍କର କାରୁକାର୍ଯ୍ୟରୁ ଆରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପର୍ଯ୍ୟନ୍ତ ଆମର ପରମ୍ପରା ସାରା ବିଶ୍ୱରେ ଅଦ୍ୱିତୀୟ । ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ହେଉଛନ୍ତି ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ, ଯାହାଙ୍କ ଆଶୀର୍ବାଦ ଆମ ଜୀବନକୁ ସର୍ବଦା ମାର୍ଗଦର୍ଶନ କରିଆସିଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଶୀର୍ବାଦ ଆମ ମାଟିକୁ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଦେଇଛି । ମା’ ହିଙ୍ଗୁଳା, ମା’ ତାରିଣୀ, ମା’ କଟକଚଣ୍ଡୀ, ମା’ ବିରଜା, ମା’ ଶାରଳା ଏବଂ ମା’ ଚର୍ଚ୍ଚିକାଙ୍କ ଅଭୟ ଦିଶା ଆମର ଏହି ପବିତ୍ର ଭୂମିକୁ ଏକ ଆଧ୍ୟାତ୍ମିକ ମର୍ଯ୍ୟାଦା ପ୍ରଦାନ କରିଛି । ଆମର ଶାସ୍ତ୍ରୀୟ ଭାଷା ‘ଓଡ଼ିଆ’ ଆମର ଶକ୍ତି ଏବଂ ‘ସାହିତ୍ୟ’ ଓ ‘ଇତିହାସ’ ଆମର ଗର୍ବ। ଓଡ଼ିଆ ଘରର ପଖାଳ କଂସାରୁ ଆରମ୍ଭ କରି ମହାପ୍ରଭୁଙ୍କ ମହାପ୍ରସାଦ ପର୍ଯ୍ୟନ୍ତ ଆମର ପାରମ୍ପରିକ ଖାଦ୍ୟ ସଂସ୍କୃତିରେ ଯେଉଁ ସ୍ୱତନ୍ତ୍ରତା ଓ ଆତ୍ମୀୟତା ରହିଛି, ତାହା ଅନନ୍ୟ । ଶ୍ରୀକ୍ଷେତ୍ର ପୁରୀର ଖଜାଠାରୁ ଆରମ୍ଭ କରି ସମ୍ବଲପୁରର ସରସତିଆ, ନୟାଗଡ଼ର ଛେନାପୋଡ଼, ସାଲେପୁର ରସୋଗୋଲା, ଢେଙ୍କାନାଳର ବରା ଏବଂ କେନ୍ଦ୍ରାପଡ଼ାର ରସାବଳୀ ସାରା ବିଶ୍ୱରେ ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଆଜିର ଓଡ଼ିଶା ଏକ ବଡ଼ ପରିବର୍ତ୍ତନର ପଥରେ ଅଗ୍ରସର ହେଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଜାତିର ଅକ୍ଳାନ୍ତ ପରିଶ୍ରମ ବଳରେ ଆମେ ‘ବିକଶିତ ଓଡ଼ିଶା’ ଗଠନ କରିବା ପାଇଁ ସଂକଳ୍ପବଦ୍ଧ । ଓଡ଼ିଶାର ଏହି ସମୃଦ୍ଧ ସଂସ୍କୃତି, ଭାଷା ଓ ଐତିହ୍ୟକୁ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରିବା ଖୁସିର ବିଷୟ । ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଆମ ଐତିହ୍ୟକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ସହ ଓଡ଼ିଆ ଅସ୍ମିତାକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ