ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି ଓ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନେଉଛନ୍ତି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ସପ୍ତମ ପାଳି, ଚଳିତ ବର୍ଷର ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀ, ଅଭିଯୋଗ ପ୍ରକୋଷ୍ଠରେ ଅଥବା ଯେଉଁଠାକୁ ଯାଆନ୍ତି ସେଠାରେ ସାଧାରଣଲୋକଙ୍କୁ ଭେଟିବା, ସେମାନଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ।

ଆଜି ସପ୍ତମ ପାଳିର ଆରମ୍ଭରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ବାହାରେ ଚେୟାରରେ ବସିଥିବା ପ୍ରାୟ ୪୦ ଜଣ ଭିନ୍ନକ୍ଷମ ମାନଙ୍କୁ ପ୍ରଥମେ ଭେଟିଥିଲେ । ସେମାନଙ୍କ ସମସ୍ୟା ଓ ଅଭିଯୋଗକୁ ଗୋଟି ଗୋଟିକରି ଶୁଣିବା ପରେ ପାଖରେ ଥିବା ମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ବୌଦ୍ଧର ହେରମ୍ବ ଗିରି ଆସିଥିଲେ ଅଜଣା ଜଟିଳ ରୋଗରେ ପୀଡିତ ତାଙ୍କ ୭ ବର୍ଷର ନାବାଳକ ପୁଅ ପ୍ରତ୍ୟୁଷ ଗିରିଙ୍କୁ ନେଇ । ପିଲାଟିର ଦୁଇଟି ଯାକ ଆଖି ନଷ୍ଟ ହୋଇଯାଇଛି । ବାପା ମା ଦୁହେଁ ଚିକିତ୍ସା ବାବଦରେ ଦୌଡି ଦୌଡି ସମସ୍ତ ଟଙ୍କା ଖର୍ଚ୍ଚ କରିସାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପରେ ତୁରନ୍ତ ପାଖରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇବାପାଇଁ କହିଥିଲେ । କ୍ୟାପିଟାଲ ହସ୍ପିଟାଲରୁ ପିଲାଟି କଟକ ବଡ ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପିଲାଟିର ଚିକିତ୍ସା କିପରି ହେବ ସେ ସମ୍ପର୍କରେ ତନ୍ନ ତନ୍ନ କରି ବୁଝୁଥିଲେ । କଟକ ବଡ ଡାକ୍ତରଖାନାରେ ପିଲାଟି ଚିକିତ୍ସାପାଇଁ ଭର୍ତ୍ତିହେଲା । ପିଲାଟିର ଚିକିତ୍ସା ବାବଦକୁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ଜଟିଳ ରୋଗରେ ପୀଡିତ ସବୁ ମାମଲା ଗୁଡିକୁ ଆମେ ସମାନ ଗୁରୁତ୍ୱ ଦେଉଛୁ । ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକମାନେ ଆସୁଛନ୍ତି ଆମେ ସେମାନଙ୍କୁ କେବେ ନିରାଶ କରିବୁ ନାହିଁ ।

ଆଜି ୧୦୦୦ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱଦେଇ ଶୁଣୁଥିଲେ ଓ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଭିଯୋଗ ପ୍ରକୋଷ୍ଠରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସପ୍ତମ ପାଳି । ଆଜି ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଏଠାକୁ ଆସିଛନ୍ତି । ଲୋକଙ୍କୁ ନ୍ୟାୟ ଦେବାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ହାସଲ କରିଛି । ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮ ପ୍ରତିଶତ କେସ୍ ସମାଧାନ ହୋଇଛି । ସେହିଭଳି ଜୁଲାଇ ୧୫ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୮୪ ପ୍ରତିଶତ, ଅଗଷ୍ଟ ୫ ରେ ହୋଇଥିବା କାର୍ଯ୍ୟକ୍ରମରେ ୮୨ ପ୍ରତିଶତ, ସେପ୍ଟେମ୍ବର ୨୩ରେ ହୋଇଥିବା କାର୍ଯ୍ୟକ୍ରମରେ ୮୦ ପ୍ରତିଶତ, ଅକ୍ଟୋବର ୨୧ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୭୭ ପ୍ରତିଶତ ଏବଂ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ ପ୍ରତିଶତ କେସର ସମାଧାନ କରାଯାଇଛି। ବାକି ରହିଥିବା କେସ ଗୁଡିକ ପ୍ରକ୍ରିୟାଭୁକ୍ତ ଅଛି, ଖୁବଶୀଘ୍ର ଏଗୁଡିକର ସମାଧାନ କରାଯିବ । ଲୋକମାନେ ବହୁତ ଆଶା ଓ ଭରସା ନେଇ ଆମ ପାଖକୁ ଆସୁଛନ୍ତି । ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରିରହିଛି । ଏହା ଫଳରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ନ୍ୟାୟ ଦେଇପାରୁଛୁ । ସମସ୍ତେ ନ୍ୟାୟ ପାଇବେ, କେହି ନିରାଶ ହେବେ ନାହିଁ । ଆଗାମୀ ଦିନରେ RDC ସ୍ତରରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କାର୍ଯ୍ୟକାରୀ କରିବାର ଯୋଜନା ରହିଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ ସିଂହ ଏବଂ ଅନ୍ୟ ବିଭାଗ ଗୁଡିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ