
ପୁରୀ: ନବବର୍ଷରେ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ସମାଙ୍ଗମ ହେବେ ବୋଲି ଆଶା କରାଯାଉଛି। ତେଣୁ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସାଶନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଆଜି ମଧ୍ୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହୋଇଥିଲା। ଶ୍ରୀମନ୍ଦିର ଭିତର କାଠ ନିକଟରେ ଠେଲାପେଲା ହୋଇ ଚାରିଜଣ ଅସୁସ୍ଥ ହୋଇପଡିଛନ୍ତି। ପୁରୀ ଏସ୍ପି ବିନୀତ ଅଗ୍ରୱାଲଙ୍କ ସୂଚନା ଅନୁସାରେ ଆଜି ଶ୍ରୀମନ୍ଦିରରେ ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ତେବେ ନାଟମଣ୍ଡପ ରେ ଠେଲାପେଲାରେ ଚାରିଜଣ ଭକ୍ତ ଅସୁସ୍ଥ ହୋଇଥିଲେ। ସେମାନେ ସମସ୍ତେ ସୁରକ୍ଷିତ ଥିବା ଏସ୍ପି ସୂଚନା ଦେଇଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଉଦ୍ଧାରକାରୀ ଦଳକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।
ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ ପରେ ବାଦାୟ ନେବ ବର୍ଷ ୨୦୨୪। ୨୦୨୫ ନୂଆବର୍ଷକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ, ଉଦ୍ଦୀପନା, ଆଶା ଓ ଭରସା। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନବବର୍ଷରୁ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନେକ ଲୋକ ଲକ୍ଷ ରଖିଛନ୍ତି। ଏଣୁ ମହାପ୍ରଭୁଙ୍କ ନିକଟକୁ ଧାଇଁ ଆସୁଛନ୍ତି ହଜାର ହଜାର ଭକ୍ତ। ପ୍ରବଳ ଭିଡ଼ ଯୋଗୁ ଆଜି ଭିତରକାଠ ନିକଟରେ ଠେଲାପେଲା ହୋଇ ଚାରିଜଣ ସ୍କୁଲ୍ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ଼ ବ୍ୟବସ୍ଥା ସହ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଫଳରେ ଭକ୍ତମାନେ ଭଲରେ ମହାପ୍ରଭୁଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରୁଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି। ସେପଟେ ଶ୍ରୀମନ୍ଦିର ବାହାରେ ଯଦିଓ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇ ଭକ୍ତଙ୍କୁ ଧାଡ଼ିର ଶୃଙ୍ଖଳିତ ଭାବେ ଛଡାଯାଉଛି, ଶ୍ରୀମନ୍ଦିର ଭିତରେ କିନ୍ତୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ହୋଇ ଆହତ ହେଉଛନ୍ତି। ଏଣୁ ଭକ୍ତମାନେ ଯେଭଳି ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବେ ସେଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଭକ୍ତମାନେ ଦାବି କରିଛନ୍ତି।
ଆସନ୍ତାକାଲି ଏବଂ ନୂଆ ବର୍ଷ ଦିନ କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବା ବ୍ୟବସ୍ଥା ହୋଇଛି। ତେଣୁ ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଏକ କିଲୋମିଟର ଲାଇନ୍ରେ ରହି ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବାବେଳେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ପାଣି ବିନା ବେଶ୍ କଲବଲ ହେଉଛନ୍ତି ଭକ୍ତ। ନୂଆବର୍ଷ ପ୍ରସ୍ତୁତି ପାଇଁ ପୁରୀ ପ୍ରଶାସନ ଏକାଧିକ ପ୍ରସ୍ତୁତି ବୈଠକ କରିଥିବା ବେଳେ ଭକ୍ତଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ଓ ସେବାୟତ। ବିଶେଷ କରି ପୁରୀ ପୌରପାଳିକାର ଖାମଖିଆଲି ମନୋଭାବକୁ ଭକ୍ତମାନେ କଡ଼ା ନିନ୍ଦା କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପ୍ରତି ପୁରୀ ପୌରପାଳିକାର ଏଭଳି ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହି ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି ପୌରପାଳିକା ଅଧିକାରୀ।








