ରାଜ୍ୟସ୍ତରୀୟ କୃଷକ ଦିବସ ଓ ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଉପହାର, ୪୧.୬୮ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୩୮ କୋଟିରୁ ଉର୍ଦ୍ଧ୍ବ ସହାୟତା

ଭୁବନେଶ୍ୱର, ୨୦ ଏପ୍ରିଲ ୨୦୨୬: ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ସେ ୪୧,୬୮, ୫୮୨ ଜଣ ଚାଷୀଙ୍କୁ ସିଏମ-କିଷାନ ଯୋଜନାରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ କୃଷିକୁ ଆଧୁନିକ ଓ ଲାଭଜନକ କରିବା ପାଇଁ ନୂଆ ପଦକ୍ଷେପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ଧାନ ଗବେଷଣା କେନ୍ଦ୍ର ନିକଟରେ ଥିବା ଚାଷ ଜମିରେ ମୁଖ୍ୟମନ୍ତ୍ରୀ ଭୂମି ପୂଜା କରିବା ପରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଏହାପରେ କୃଷି ପ୍ରଦର୍ଶନୀ ବୁଲି ଦେଖିବା ପରେ ‘ ଆମ ବିହନ ରଥ’ ଏବଂ ‘କୃଷି ରଥ’ର ଶୁଭାରମ୍ଭ କରିଥିଲେ। ସୂଚନା ଯୋଗ୍ୟଯେ , କୃଷକଙ୍କୁ ସହଜରେ ଉନ୍ନତ ବିହନ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆମ ବିହନ ରଥ” ବା Seeds on Wheels କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଭ୍ରାମ୍ୟମାଣ ବିହନ ବିକ୍ରୟ କେନ୍ଦ୍ର ଗୁଡିକ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୩୧ଟି ବ୍ଲକରେ ଚାଲୁ ହେବ। ୫ କେଜିଆ ପ୍ୟାକେଟ୍ ଆକାରରେ ନୂତନ କିସମର ଧାନ ବିହନ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ କୃଷକ ଭାଇ ଓ ଭଉଣୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି, ସଂସ୍କୃତି ଓ ସମୃଦ୍ଧିର ମୂଳ ଆଧାର ହେଉଛି କୃଷି। ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରି ନୂଆ କୃଷି ବର୍ଷର ଶୁଭାରମ୍ଭ କରୁଥିବାରୁ ଏହା ଓଡ଼ିଶାର ଗୌରବମୟ ପରମ୍ପରା ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୬ ଖରିଫ ଋତୁ ପାଇଁ ରାଜ୍ୟର ୪୧ ଲକ୍ଷ ୬୮ ହଜାର ୫୮୨ ଜଣ କୃଷକଙ୍କୁ ସିଏମ-କିଷାନ ଯୋଜନାରେ ପ୍ରାୟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ସେ କହିଥିଲେ ଯେ, କୃଷକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ସରକାରଙ୍କ ପ୍ରାଥମିକତା ଏବଂ ଏହି ଯୋଜନା ତାହାର ଏକ ଉତ୍କୃଷ୍ଟ ଉଦାହରଣ। ସୂଚନାଯୋଗ୍ୟ ଯେ ଏହି ଚାଷୀମାନଙ୍କ ମଧ୍ୟରୁ ୪୧,୨୪,୨୪୧ ଜଣ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ୪୧,୦୪୯ ଜଣ ହେଉଛନ୍ତି ଭୂମି ହୀନ କୃଷକ ପରିବାରର ଚାଷୀ ଏବଂ ୩,୨୯୨ ଜଣ ହେଉଛନ୍ତି ଜନଜାତି କୃଷକ ପରିବାରର ଚାଷୀ। ନୂଆ ସରକାର କ୍ଷମତାକୁ ଆସିବା ପରେ କେବଳ ୨୨ ମାସ ମଧ୍ୟରେ ରାଜ୍ୟର କୃଷି ଅଭିବୃଦ୍ଧି ହାର ୫.୩ ପ୍ରତିଶତକୁ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ। ଚଳିତ ବର୍ଷ ରାଜ୍ୟରେ ୧୫୦ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସେ ଏହି ସଫଳତା ପାଇଁ ରାଜ୍ୟର ପ୍ରତ୍ୟେକ କୃଷକଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଚାଷୀଙ୍କ ପରିଶ୍ରମର ଯଥୋଚିତ ମୂଲ୍ୟ ଦେବା ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୨୫-୨୬ ଖରିଫ ଋତୁରେ ୧୮ ଲକ୍ଷ ୫୫ ହଜାର ୬୬୧ ଜଣ ଚାଷୀଙ୍କ ଠାରୁ ୭୬.୪୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏଥିପାଇଁ ୫,୫୮୯ କୋଟି ୯୮ ଲକ୍ଷ ଟଙ୍କା ଇନ୍‌ପୁଟ ସହାୟତା ଦିଆଯାଇଛି। କୃଷି ବିଦ୍ୟାନିଧି ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ କୃଷକ ପରିବାରର ପିଲାମାନଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ସହାୟତା ଦିଆଯାଉଛି। ୨୦୨୫-୨୬ ଶିକ୍ଷାବର୍ଷରେ ୬୮ ହଜାର ୯୧୦ ଜଣ ଛାତ୍ରଛାତ୍ରୀଙ୍କୁ ୨୯୧ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସହାୟତା ମିଳିଛି। ରାଜ୍ୟ ସରକାର “ବଳଭଦ୍ର ଜୈବିକ ଚାଷ ମିଶନ” ମାଧ୍ୟମରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ସେହିପରି ଓଡ଼ିଶାର ପାରମ୍ପରିକ ମାଣ୍ଡିଆକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ପାଇଁ ଶ୍ରୀ ଅନ୍ନ ଅଭିଯାନକୁ ଆହୁରି ଜୋରଦାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମୃଦ୍ଧ ଓଡ଼ିଶା ଗଢ଼ିବାରେ କୃଷକମାନେ ହିଁ ପ୍ରକୃତ ସାରଥୀ। ରାଜ୍ୟ ସରକାର ସଦା ସର୍ବଦା କୃଷକଙ୍କ ସହିତ ରହିବ ଏବଂ ଆଗାମୀ ଦିନରେ କୃଷିକୁ ଅଧିକ ଲାଭଜନକ, ଆଧୁନିକ ଓ ସଶକ୍ତ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।

  • Related Posts

    ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

    ଭୁବନେଶ୍ୱର,୨୧/୦୪/୨୦୨୬:ବର୍ତ୍ତମାନ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଥିବା ଭୌଗୋଳିକ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପୁନର୍ବାର ନିଶ୍ଚିତ କରିଛି ଯେ, ସାରା ଓଡ଼ିଶାରେ ଏଲପିଜି, ପେଟ୍ରୋଲ ଓ ଡିଜେଲର ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି। ସମଗ୍ର…

    Continue reading
    ଭାଷା ଯେତେ କଥିତ, ପ୍ରଚଳିତ ସେ ଭାଷା ସେତେ ସମୃଦ୍ଧ:ରାଜ୍ୟପାଳ

    ଭୁବନେଶ୍ୱର: ଯେଉଁ ଭାଷା ଯେତେ ସକ୍ରିୟ ଭାବେ କଥିତ, ପ୍ରଚଳିତ ଓ ଭବିଷ୍ୟତ ପିଢ଼ି ପାଇଁ ପ୍ରେରିତ ହୁଏ, ସେ ଭାଷା ସେତେ ସମୃଦ୍ଧ ହୁଏ I ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟପାଳ ଡ଼ ହରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର