
ଭୁବନେଶ୍ୱର: ଆସନ୍ତା ୪ ଦିନ ଯାଏ ସ୍ଥିତି ବଦଳିବ ନାହିଁ । ବରଂ ବଢ଼ିବ ସୂର୍ୟ୍ୟଦେବଙ୍କ କୋପ ବୋଲି ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଡେଇଁପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶା ବି ବର୍ତ୍ତିବ ନାହିଁ । ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ଲାଗି ଯାଇଥିଲା । ଢେଙ୍କାନାଳ ଦଶମ ଉତ୍ତପ୍ତ ସହର ଓ ଅନୁଗୁଳ ୧୨ତମ ସ୍ଥାନରେ ରହିଥିଲା । ପାଣିପାଗ ବିଭାଗ ସତର୍କ କରାଇଛି, ଆଗକୁ ବି ଏହି ଅସହ୍ୟ ତାତିରୁ ନିସ୍ତାର ମିଳିବାର ଆଶା କ୍ଷୀଣ । ତାତି ଆହୁରି ବଢ଼ିବ, ଅସମ୍ଭାଳ ହେବ ।
ଗୁରୁବାର ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଓ ଗଜପତିରେ ଗୁଳୁଗୁଳି ଅସହ୍ୟ ହେବ ।
ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼ ଓ ସମ୍ବଲପୁରରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ରାଉରକେଲା, ସୋନପୁର ଓ ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ରହିପାରେ । ୨୪ ଓ ୨୫ ତାରିଖରେ ବି ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ରୁ ୪୪ ଡିଗ୍ରୀ ପାଖାପାଖି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୨୩ ଓ ୨୪ ତାରିଖ ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର, କଟକ ଓ ଭଦ୍ରକରେ ତାତି ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ୨୬ ତାରିଖରେ ଉପକୂଳରେ ତାତି କମ୍ ରହିପାରେ । ୨୭ ତାରିଖଠାରୁ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଭୀଷଣ ତାତି ପାଇଁ ଢେଙ୍କାନାଳରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି


