
ନୂଆଦିଲ୍ଲୀ : କୌଣସି ଅଦାଲତ ଜଣେ ମହିଳା ବିଶେଷକରି ନାବାଳିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଗର୍ଭଧାରଣ ଜାରି ରଖିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଟିପ୍ପଣୀ ଦେବା ସହ ୭ ମାସର ଗର୍ଭଧାରଣ କରିଥିବା ଜଣେ ୧୫ ବର୍ଷୀୟା ବାଳିକାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି। ଜନ୍ମ ନେବାକୁ ଥିବା ପିଲା ପରିବର୍ତ୍ତେ ଗର୍ଭଧାରଣ କରିଥିବା ମହିଳାଙ୍କ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। ଅନିଚ୍ଛାକୃତ ଗର୍ଭଧାରଣ ଜାରି ରଖିବା ଶିଶୁର ମାନସିକ ସ୍ବାସ୍ଥ୍ୟ, ଶିକ୍ଷା, ସାମାଜିକ ସ୍ଥିତି ଓ ସାମଗ୍ରିକ ବିକାଶ ଉପରେ ଦୀର୍ଘମିଆଦୀ ପ୍ରଭାବ ପକାଇପାରେ ବୋଲି ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଉଜ୍ଜଲ ଭୂୟଁାଙ୍କ ଖଣ୍ଡପୀଠ କହିଛନ୍ତି। ମହିଳାଙ୍କ ସନ୍ତାନ ଜନ୍ମ ସ୍ବାଧୀନତା ସର୍ବାଧିକ ଗୁରୁତ୍ୱ ପାଇବା ଆବଶ୍ୟକ। ଜଣେ ମହିଳା ଯଦି ଅବାଞ୍ଛିତ ଗର୍ଭଧାରଣ କରନ୍ତି ଏବଂ ଏହାକୁ ଜାରି ରଖିବାକୁ ବାଧ୍ୟ କରାଯାଏ, ତେବେ ତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।



