
କେନ୍ଦୁଝର: କେନ୍ଦୁଝରବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିକାଶ ସମାବେଶରେ କେନ୍ଦୁଝରର ସାମଗ୍ରିକ ବିକାଶ ପାଇଁ ୧୮୭ ଟି ପ୍ରକଳ୍ପର ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ବିକାଶ ହେବ। ଏଥିସହିତ ୨୫ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସେବା କେନ୍ଦୁଝର ସହରରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲ୍ଲାରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ବିରାଟ ପଦକ୍ଷେପ। ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ଏବଂ CRUTର ନିରନ୍ତର ପ୍ରୟାସ ଫଳରେ କେନ୍ଦୁଝର ଆଜି ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଆପଣେଇବାରେ ଆଗୁଆ ହୋଇଛି। ପ୍ରାଥମିକ ଭାବେ ୨୫ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସହରର ୬ଟି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଚଳାଚଳ କରିବ।ଏହି ବସ୍ ଗୁଡ଼ିକ ଏପରି ଭାବେ ନିର୍ମିତ, ଯାହା ସହରର ଗଳି କନ୍ଦିରୁ ଆରମ୍ଭ କରି ପ୍ରମୁଖ ରାଜପଥ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଗମ ସଂଯୋଗ ଯୋଗାଇଦେବ। ଆଗାମୀ ୧୦ ବର୍ଷ ପାଇଁ ୧୪୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ସେବା ପରିଚାଳିତ ହେବ।
ଏଥିସହ DMF ପାଣ୍ଠି ସହାୟତାରେ ୧୭.୧୨ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ବସ୍ ଡିପୋ ନିର୍ମାଣ କରାଯାଇଛି। ଯେଉଁଠାରେ ଫାଷ୍ଟ ଚାର୍ଜିଂ ଓ ରକ୍ଷଣାବେକ୍ଷଣର ସମସ୍ତ ବ୍ୟବସ୍ଥା ରହିଛି। ଏହି ବସ୍ ଗୁଡ଼ିକ ସମ୍ପୂର୍ଣ୍ଣ ବାତାନୁକୂଳିତ ହେବା ସହ CCTV, ଲାଇଭ୍ ଟ୍ରାକିଂ ଏବଂ ସଙ୍କଟ ସମୟ ପାଇଁ ‘ପାନିକ୍ ବଟନ୍’ ସୁବିଧା ରହିଛି। ବିଶେଷକରି ମାତୃଶକ୍ତି, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବନ୍ଧୁମାନଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ ୧୫୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ସବୁଠାରୁ ଗୌରବର ବିଷୟ ହେଉଛି, ଏହି ସେବାରେ ଆମର ନାରୀ ଶକ୍ତି ସାରଥୀ (Driver) ଏବଂ ଗାଇଡ୍ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିବେ।
ମାତ୍ର ୫ ଟଙ୍କାରୁ ଆରମ୍ଭ ହେଉଥିବା ଭଡ଼ା ଏବଂ ଡିଜିଟାଲ ପେମେଣ୍ଟ ସୁବିଧା ସାଧାରଣ ଯାତ୍ରୀ, ଛାତ୍ରଛାତ୍ରୀ ଓ ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ବେଶ ସହାୟକ ହେବ। ଆମର ମୂଳ ଲକ୍ଷ୍ୟ ହେଉଛି କେନ୍ଦୁଝରରୁ କାର୍ବନ ନିର୍ଗମନ ହ୍ରାସ କରିବା। ବାର୍ଷିକ ପ୍ରାୟ ୩୩୦ ରୁ ୩୯୦ ଟନ୍ କାର୍ବନ ହ୍ରାସ କରି ଏହି ଇଲେକ୍ଟ୍ରିକ୍ ବସ୍ ସେବା ଆମର ପରିବେଶକୁ ସୁରକ୍ଷିତ ରଖିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ।ଏହାସହିତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ୭୦୪ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ୬୨ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ସେହିପରି ଅତି ଆନନ୍ଦର ବିଷୟ ଯେ, ଆଜି ୨୫୦ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ପନ୍ନ ହୋଇଛି, ଯାହା ଆଜିଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ହେବ।


