
ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବିବାଦ ଜାରି ରହିଛି । ଉଭୟ ରାଜ୍ୟ କୋଟିଆକୁ ନିଜର ବୋଲି ଦାବି କରିବା ସହ ସରକାରୀ ଯୋଜନାରେ ବି ସାମିଲ୍ କରୁଛନ୍ତି । ଏବେ ଜନଗଣନାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଓଡ଼ିଶା ପକ୍ଷରୁ କୋଟିଆ ଗ୍ରାମପୁଞ୍ଜର ୨୧ଟି ଗାଁରେ ଜନଗଣନା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ଦୁଇ ଦିନ ଧରି କୋଟିଆରେ ଅନୁପ୍ରବେଶ କରି ଜନଗଣନା କାର୍ଯ୍ୟ ଆରମ୍ଭ କରିଛି ଆନ୍ଧ୍ର ପ୍ରଦେଶ । ତେବେ ଆନ୍ଧ୍ରପ୍ରଦେଶର ଜନଗଣନା ଅଧିକାରୀଙ୍କୁ ସହଯୋଗ ନକରିବାକୁ କୋଟିଆ ବାସୀଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ପ୍ରଥମ ଦିନରେ ଆନ୍ଧ୍ର ଉପରସେମ୍ବି ଓ ତଳସେମ୍ବି ଗ୍ରାମର ୧୬ଟି ଘରେ ପହଞ୍ଚି ଜନଗଣନା କରିଛି । ଆନ୍ଧ୍ର ପ୍ରଦେଶର ମାନ୍ୟମ ଜିଲା ସାଲୁର ମଣ୍ଡଳରୁ ଜଣେ ଟିମ୍ ଲିଡରଙ୍କ ସହ ଏକ ୪ ଜଣିଆ ଟିମ୍ ଆସି ଜନଗଣନା କାର୍ଯ୍ୟ ଆରମ୍ଭ କରିଥିଲେ । ଖୁବ୍ଶୀଘ୍ର ଫାଟୁସିନେରି, ଫଗୁଣସିନେରି, ମାଡ଼କାର, ଧୂଳିପଦର ଓ ନେରେଡିବାଲସା ଗ୍ରାମରେ ଆନ୍ଧ୍ର ଜନଗଣନା କରିବ ।
ଆନ୍ଧ୍ରର ଜନଗଣନା ସମ୍ପର୍କରେ ଖବର ପ୍ରସାରଣ ପରେ କୋରାପୁଟ ଜିଲାପାଳଙ୍କ ନିର୍ଦ୍ଦେଶରେ ଶୁକ୍ରବାର ପଟାଙ୍ଗି ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ଲକ ଓ ତହସିଲ କର୍ମଚାରୀ ଏବଂ ଜନଗଣନା ସୁପର ଭାଇଜର କୋଟିଆର ସୀମାନ୍ତ ଗାଁଗୁଡ଼ିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆନ୍ଧ୍ର ଅଧିକାରୀଙ୍କୁ ଜନ ଗଣନାରେ ସହଯୋଗ ନ କରିବା ପାଇଁ ଲୋକଙ୍କୁ ବୁଝାସୁଝା କରି ସେମାନେ ଫେରିଛନ୍ତି ।
ସୂଚନାଯୋଗ୍ୟ, କୋଟିଆର ୨୧ଟି ଗାଁକୁ ଆନ୍ଧ୍ର ୩ଟି ଗ୍ରାମ ପଞ୍ଚାୟତରେ ବିଭକ୍ତ କରିଛି । ପୂର୍ବରୁ ଆଧାରକାର୍ଡ ସହ ଆବଶ୍ୟକତା ପଡୁଥିବା ସମସ୍ତ କାଗଜପତ୍ର ଦେଇସାରିଛି । ଗାଁ ନାମ ବି ପରିବର୍ତ୍ତନ କରାଯାଇଛି । କିଛି ଦିନ ତଳେ ଓଡ଼ିଶାର ଜନଗଣନା ସମୟରେ ଆନ୍ଧ୍ର ପ୍ରରୋଚନାରେ କୋଟିଆର କିଛି ଗ୍ରାମବାସୀ ବିରୋଧ ମଧ୍ୟ କରିଥିଲେ । ପଟାଙ୍ଗି ପୁଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିଲା ।


