
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁନା, ରୁପା ସମେତ ଅନ୍ୟାନ୍ୟ ବହୁମୂଲ୍ୟ ଧାତୁ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ନୂଆ ଦର ଆଜି ଅର୍ଥାତ୍ ୧୩ ମେ ୨୦୨୬ ରୁ ସାରା ଦେଶରେ ଲାଗୁ ହୋଇଛି । ସରକାର ସୁନା ଓ ରୁପା ଆମଦାନୀ ଉପରେ ୧୦ ପ୍ରତିଶତ ବେସିକ୍ କଷ୍ଟମ ଡ୍ୟୁଟି ଏବଂ ୫ ପ୍ରତିଶତ କୃଷି ଭିତ୍ତିଭୂମି ଓ ବିକାଶ ସେସ୍ (AIDC) ଲାଗୁ କରିଛନ୍ତି । ଏହା ପୂର୍ବରୁ ପ୍ରଭାବୀ ଇମ୍ପୋର୍ଟ ଡ୍ୟୁଟି ୬ ପ୍ରତିଶତ ଥିଲା, ଯାହା ଏବେ ବୃଦ୍ଧି ପାଇ ୧୫ ପ୍ରତିଶତରେ ପହଞ୍ଚିଛି । ଫଳରେ ସ୍ଥାନୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିପାରେ ।
ବୈଦେଶିକ ମୁଦ୍ରା ସଞ୍ଚୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶବାସୀଙ୍କୁ ଅତିକମରେ ବର୍ଷେ ଯାଏଁ ସୁନା ନ କିଣିବାକୁ ଅପିଲ୍ କରିଥିଲେ । ଚୀନ୍ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ବ୍ୟବହାରକାରୀ ଦେଶ । ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତଥ୍ୟ ଅନୁଯାୟୀ:୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ସୁନା ଆମଦାନୀ ରେକର୍ଡ ୭୧.୯୮ ଅରବ ଡଲାରରେ ପହଞ୍ଚିଥିଲା ।ତା’ ପୂର୍ବ ବର୍ଷ ଏହା ୫୮ ଅରବ ଡଲାର ଥିଲା ।
ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆମଦାନୀ ହ୍ରାସ ପାଇବ ସତ, କିନ୍ତୁ ବ୍ୟବସାୟୀମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମତରେ, ଟିକସ ବୃଦ୍ଧି ହେବା ଦ୍ୱାରା ‘ଗ୍ରେ ମାର୍କେଟ’ ବା ଚୋରା ବଜାର ପୁଣି ସକ୍ରିୟ ହୋଇପାରେ । ବେଆଇନ ଭାବେ ସୁନା ଆଣିଲେ ଅଧିକ ଲାଭ ମିଳୁଥିବାରୁ ଚୋରା ଚାଲାଣକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ରହିଛି । ବର୍ତ୍ତମାନ ସୁଦ୍ଧା ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୬.୫ ପ୍ରତିଶତ ହ୍ରାସ ପାଇଛି । ସୁନା ଆମଦାନୀ କମିଲେ ବିଦେଶୀ ମୁଦ୍ରା ବଞ୍ଚିବ ଏବଂ ଭାରତର ବ୍ୟାପାର କ୍ଷତି କମିବ । ଏହା ଦ୍ୱାରା ଭାରତୀୟ ମୁଦ୍ରା ଅର୍ଥାତ୍ ଟଙ୍କାକୁ ଶକ୍ତି ମିଳିବ ବୋଲି ଆଶା କରାଯାଉଛି ।
ବଜାର ବିଶେଷଜ୍ଞଙ୍କ ମତରେ, ବିବାହ ଋତୁ ପୂର୍ବରୁ ସୁନା ଦର ବୃଦ୍ଧି ହେବା ଗ୍ରାହକଙ୍କ ପାଇଁ ଏକ ଶକ୍ତ ଧକ୍କା । ଗୋଟିଏ ପଟେ ବଜାରରେ ସୁନା ଦର ଆକାଶଛୁଆଁ ହୋଇ ରହିଥିବା ବେଳେ କଷ୍ଟମ ଡ୍ୟୁଟି ବଢ଼ିବା ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ଏକ କଷ୍ଟକର ବ୍ୟାପାର ହୋଇପାରେ ।
