
ଚେନ୍ନାଇ,: ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଫ୍ଲୋର୍ ଟେଷ୍ଟ। କଂଗ୍ରେସ ଓ ବାମଦଳ ସହାୟତାରେ ସରକାର ଗଢିଛନ୍ତି ବିଜୟ। ଟିଭିକେ ନିକଟରେ ୧୦୮ ବିଧାୟକ ରହିଛନ୍ତି। ତେବେତାମିଲନାଡ଼ୁ ବିଧାନସଭାରେ ଫ୍ଲୋର ଟେଷ୍ଟ ହେବା ପୂର୍ବରୁ ରାଜ୍ୟ ରାଜନୀତିରେ ବଡ଼ ହଇଚଇ ଦେଖିବାକୁ ମଳିଛି । AIADMK ଦଳର ରାଜନୈତିକ ଭବିଷ୍ୟତକୁ ଆଶଙ୍କା ସୃଷ୍ଟି ହୋଇଛି । ଆଜି ଫ୍ଲୋର ଟେଷ୍ଟରେ ଟିଭିକେକୁ ୪୭ ବିଧାୟକଙ୍କ ମଧ୍ୟରୁ ସମର୍ଥନ ଦେବେ ୩୦ ବିଦ୍ରୋହୀ ବିଧାୟକ
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ସି. ଜୋସେଫ୍ ବିଜୟ ଏଆଇଏଡିଏମ୍କେର ବିଦ୍ରୋହୀ ବିଧାୟକଙ୍କ ନେତା ଏସ୍ପି ବେଲମଣି ଏବଂ ସିଭି ସନମୁଗମ୍ଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ବେଲୁମଣି-ଷନମୁଗମ ଗୋଷ୍ଠୀ ପାଖରେ ଏଆଇଏଡିଏମ୍କେର ୪୭ ବିଧାୟକଙ୍କ ମଧ୍ୟରୁ ୩୦ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି। ଏହି ବିଧାୟକମାନେ ବୁଧବାର ବହୁମତ ପ୍ରମାଣ କରିବା ଲାଗି ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଟିଭିକେ ସରକାର ପକ୍ଷରେ ନିଜ ସମର୍ଥନ ଦେବେ ବୋଲି ସନ୍ମଗମ୍ ଘୋଷଣା କରିଛନ୍ତି । ଏହା ହେଲେ ଏଆଇଏଡିଏମ୍କେରେ ବିଭାଜନ ହେବାର ଆଶଙ୍କା ରହିଛି । ତେବେ ଦଳକୁ ସେ ବିଭାଜିତ କରିବାକୁ ଚାହାନ୍ତିନି ବୋଲି ସନ୍ମଗମ୍ କହିଛନ୍ତି । ପ୍ରକାଶଥାଉ କି, ତାମିଲନାଡ଼ୁ ବିଧାନସଭାରେ ଟିଭିକେ ସରକାର ବୁଧବାର ଫ୍ଲୋର ଟେଷ୍ଟ ଦେବ ।
ଟିଭିକେ ବହୁମତ ସାବ୍ୟସ୍ତ କରିବା ଲାଗି ୧୧୮ ବିଧାୟକଙ୍କ ସମର୍ଥନ ଥିବା ପ୍ରମାଣ ଦେବେ । ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଭିକେ ପାଖରେ ୧୦୭ ବିଧାୟକ ଥିବା ବେଳେ କଂଗ୍ରେସ, ବାମ ଦଳ, ଆଇୟୁଏମ୍ଏଲ୍ ଏବଂ ଭିସିକେର ୧୩ ବିଧାୟକଙ୍କ ସମର୍ଥନ ରହିଛି । ଯଦି ଏଆଇଏଡିଏମ୍କେର ୩୦ ବିଧାୟକ ଟିଭିକେକୁ ସମର୍ଥନ କରନ୍ତି ତେବେ ଏହି ମେଣ୍ଟରେ ମୋଟ ବିଧାୟକଙ୍କ ସଂଖ୍ୟା ୧୫୦ ହୋଇଯିବ ।
