ଦିନରେ ଝାଞ୍ଜି ମାଡ଼, ତାତି ଆହୁରି ବଢ଼ିବ

ଭୁବନେଶ୍ୱର: ଦିନରେ ନିର୍ଘାତ୍ ଝାଞ୍ଜି ମାଡ଼ । ରାତିରେ ଘର ଭିତରେ ଅଣନିଃଶ୍ୱାସୀ କରୁଛି ତତଲା ହୁଳା । ତାତି ଆହୁରି ବଢ଼ିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଆସନ୍ତା ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ଝାଞ୍ଜି ମାଡ଼ରେ ଜଳିବ । ଗତ ୨/୩ ଦିନ ହେବ ରାଜ୍ୟରେ ତାପମାତ୍ରା ବଢ଼ିଛି । ରାତିରେ ବି ତାତି ଖସୁନି । ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ଡେଇଁଥିବା ବେଳେ ରାତି ପାରଦ ୨୮-୨୯ ଡିଗ୍ରୀ ଉପରେ ରହୁଛି । ତା’ ସାଙ୍ଗକୁ ଜାରି ରହିଛି ଗୁଳୁଗୁଳି ।ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଗରମ ଏବେ କମିବନି । ୨ ଦିନ ଭିତରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ତା’ ପରେ ୫ ଦିନ ଯାଏଁ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ଅଧିକ ରହିବ ଆସନ୍ତା ୨୨ ଯାଏଁ । ଗୁଳୁଗୁଳି ବି ଜାରି ରହିବ । ଅର୍ଥାତ୍ ନା ଦିନରେ ପଦାକୁ ବାହାରି ହେବ,ନା ରାତିବେଳା ଘରେ ଶାନ୍ତିରେ ଶୋଇ ପାରିବେ । ଗ୍ରୀଷ୍ମ ଜ୍ୱାଳାରେ ସନ୍ତୁଳି ହେବେ ରାତିଦିନ ।
ପୂର୍ବାନୁମାନ ଅନୁସାରେ ୨୦ରୁ ତାତି ଆହୁରି ବଢ଼ିବ । ୨୦ରେ ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ । ଆସନ୍ତା ୨୪/୨୫ ତାରିଖବେଳକୁ ଉପକୂଳ ଅଞ୍ଚଳରେ ବି ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍ ରହିପାରେ । ଆସନ୍ତା ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ତାତିରୁ ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି । ଏହା ପରେ ବି ଗରମ କମିବା ନେଇ ଏବେ କିଛି କହିହେବନି । ମଝିରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି । ଯେଉଁଠି ବର୍ଷା ହେବ, ସେଇ ଅଞ୍ଚଳରେ ସାମୟିକ ଭାବେ ତାତି ସାମାନ୍ୟ କମିପାରେ ।

ସୋମବାର ରାଜ୍ୟର ୧୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ଝାରସୁଗୁଡ଼ା ୪୩.୪, ବୌଦ୍ଧ ୪୨.୮, ଅନୁଗୁଳ ୪୨.୩, ସମ୍ବଲପୁର ୪୨.୩, ହୀରାକୁଦ ୪୨ ଡିଗ୍ରୀ ଥିବାବେଳେ ଅନେକ ସ୍ଥାନରେ ପାରଦ ୩୯ରୁ ୪୧ ଡିଗ୍ରୀ ପାଖାପାଖି ଥିଲା । ଉପକୂଳରେ ବି ପାରଦ ୩୯-୪୦ ଡିଗ୍ରୀ ଛୁଇଁଥିଲା । ଅନ୍ୟପଟେ ଆର୍ଦ୍ରତା ପରିମାଣ ସକାଳେ ୭୦ରୁ ୮୫% ପର୍ଯ୍ୟନ୍ତ ରହିଥିବାବେଳେ ସନ୍ଧ୍ୟାରେ ୬୦-୭୦% ଥିଲା । ଭୀଷଣ ଖରା ଯୋଗୁ କାନ୍ଥ, ଚଟାଣ, ଛାତ ତାତି ନିଆଁ ହୋଇଯାଉଥିବାବେଳେ ରାତିରେ ବି ବାତାବାରଣ ଥଣ୍ଡା ପଡ଼ୁନି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୮-୨୯ ଡିଗ୍ରୀ ସେଲସିୟସ୍ ରହୁଛି । ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼ରେ ରାତି ତାପମାତ୍ରା ୨୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପୁରୀରେ ୨୯.୪ ଡିଗ୍ରୀ, ଭୁବନେଶ୍ୱର ୨୮.୬, ଚାନ୍ଦବାଲି ୨୮.୨, ପାରାଦୀପରେ ୨୮.୫ ଡିଗ୍ରୀ ଥିଲା ।

ବିଶେଷଜ୍ଞଙ୍କ କହିବାନୁସାରେ ରାତିରେ ବାହାର ବାୟୁମଣ୍ଡଳ ତାପମାତ୍ରା ଯେତିକି ଥାଏ, ଘର ଭିତରେ ତା’ଠାରୁ ଅଧିକ ୩ ଡିଗ୍ରୀ ରହିଥାଏ । ଅର୍ଥାତ୍ ରାତିରେ ଘର ଭିତରେ ୩୧-୩୨ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି । ବିଭିନ୍ନ ସମୟରେ ଲୋଭୋଲଟେଜ ଓ ବାରମ୍ବାର ବିଜୁଳି କାଟ ଯୋଗୁ ଏ ଯନ୍ତ୍ରଣା ଆହୁରି ବଢ଼ିଯାଉଛି । ଗତ କିଛିଦିନ ହେବ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି କାଟ ଯୋଗୁ ଗରମ ଜ୍ୱାଳା ଅସମ୍ଭାଳ ହୋଇପଡ଼ିଛି । ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବଜ୍ରପାତ ସହ ବର୍ଷା ଓ ସ୍ଥାନେ ସ୍ଥାନେ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ । ୨୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିବ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ