ବିନା ତଦନ୍ତରେ କାର୍ୟ୍ୟାନୁଷ୍ଠାନ, ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି

ଭୁବନେଶ୍ୱର, ୨୮/୦୫/୨୦୨୬: ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାର ଚରମ ଅଧୋଗତି ହେଉଛି । ବିନା ତଥ୍ୟ ପ୍ରମାଣରେ ବାରଙ୍ଗ ଅଞ୍ଚଳର ଜଣେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିଛି ପୋଲିସ । ଫଳରେ ଉକ୍ତ ଯୁବକ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ପୋଲିସର ଏହି ଦାୟିତ୍ୱ ହୀନତାକୁ କଡା ଭାଷାରେ ନିନ୍ଦା କରିବା ସହ ସଂପୃକ୍ତ ଯୁବକଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି ।
ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁ ପୋଲିସ ବ୍ୟବସ୍ଥାର ଅପରିଣାମଦର୍ଶୀ କାର୍ୟ୍ୟ ତଥା ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।
ଶ୍ରୀମତୀ ସୁଲତା ଦେଓ କହିଛନ୍ତି, ରାଜ୍ୟରେ ଯେବେଠାରୁ ବିଜେପି ସରକାର ଆସିଲାଣି ସେହିଦିନଠାରୁ ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରା ନାମକ ଜଣେ ଯୁବକ, ନିଜ ସ୍ତ୍ରୀ ନିଖୋଜ ହୋଇଛନ୍ତି ବୋଲି ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାର ଦୁଇ ଦିନ ପରେ କାଠଯୋଡି ପଠାରୁ ଏକ ମହିଳାଙ୍କ ଗଳିତ ଶବ ମିଳିଥିଲା । ପୋଲିସ କିଛି ନବୁଝି ରାକେଶଙ୍କୁ ଡକାଇ ଥାର୍ଡ ଡିଗ୍ରୀ ଦେଇଛି । ଲଗାତାର ତିନି ଦିନ ଧରି ଥାର୍ଡ ଡିଗ୍ରୀ ଯୋଗୁ ରାକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଅନ୍ୟ ପଟେ ରାକେଶଙ୍କ ସ୍ତ୍ରୀ ଜୀବିତ ଥିବା ଜଣାପଡିଛି । ଗୋଟିଏ ପଟେ ନିଖୋଜ ମହିଳା ଜୀବିତ ଥିବା ଜଣାପଡିଥିଲା ବେଳେ ଅନ୍ୟପଟେ ଅପରିଚିତ ମହିଳାଙ୍କ ଗଳିତ ଶବ ସଠିକ ଚିହ୍ନଟ ନକରି ବିନା କାରଣରେ ରାକେଶକୁ ଥାର୍ଡ ଡିଗ୍ରୀ ଦେଇ ଲହୁଲୁହାଣ କରିଛି ପୋଲିସ । ବିନା ତଥ୍ୟ ପ୍ରମାଣରେ ବାରଙ୍ଗ ପୋଲିସର କାର୍ୟ୍ୟକଳାପକୁ ନିନ୍ଦା କରିଛି ଦଳ । ବିଜେପି ଭାବୁଛି ଯେ ତଦନ୍ତକାରୀ ସଂସ୍ଥା ଗୁଡିକ ତାଙ୍କ ଦଳୀୟ ସଂଗଠନର ଅଂଶବିଶେଷ । ତେଣୁ ବିଜେପି ନେତାମାନେ ତଦନ୍ତକାରୀ ସଂସ୍ଥା ଉପରେ ସଦାବେଳେ ଚାପ ପ୍ରୟୋଗ କରୁଛନ୍ତି ସେଥିପାଇଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । କେବଳ ରାକେଶ ବେହେରା କଥା ନୁହେଁ, ସାରା ରାଜ୍ୟରେ ଏଭଳି ଅସଂଖ୍ୟ ଅଘଟଣ ଘଟିଲାଣି, ଏଥିପାଇଁ କେବଳ ଦାୟୀ ରାଜ୍ୟ ସରକାରଙ୍କ ଦିଶାହୀନ ଶାସନ ବ୍ୟବସ୍ଥା । ଏଠାରେ ପ୍ରଶ୍ନ ଉଠୁଛି ମିଳିଥିବା ଗଳିତ ଶବ କାହାର, କେଉଁ ଆଧାରରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା । ଓଡିଶା ଏବେ ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି । ଯଦି ଏଥିରେ ସୁଧାର ନଆସେ ଆଗାମୀ ଦିନରେ ବିଜେଡି ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବ ।
ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପସିତା ସାହୁ କହିଛନ୍ତି, ବାରଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ସଠିକ ତଦନ୍ତ ନକରି କାହିଁକି ରାକେଶ ବେହେରାଙ୍କ ଉପରେ ଥାର୍ଡ ଡିଗ୍ରୀ କରିଥିଲା । ଏହାର ଉତ୍ତର ଦେଉ ଗୃହବିଭାଗ । ବିନା କାରଣରେ ରାକେଶଙ୍କୁ ଦଣ୍ଡିତ କରିଛି ପୋଲିସ । ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିଚୟ ମିଳିନଥିବା ବେଳେ ନିଖୋଜ ଥିବା ମହିଳା ତଥା ରାକେଶଙ୍କ ପତ୍ନୀ ଜୀବିତ ଥିବା ଜଣାପଡିବା ପରେ ମଧ୍ୟ କାହିଁକି ପୋଲିସ ରାକେଶଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କରିଥିଲା । ଏହାର ଜବାବ ଦିଅନ୍ତୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ । ପୋଲିସ ମଧ୍ୟ ରାକେଶର ପରିବାରକୁ ତାଙ୍କ ସହ ଦେଖା କରାଇ ଦେଉନାହିଁ । ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ପୋଲିସ ଜାଣିଶୁଣି ଘଟଣାକୁ ଚପାଇ ଦେବା ପାଇଁ ରାକେଶଙ୍କ ପରିବାର ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଗୋଟିଏ ପଟେ ଲଗାମଛଡା ହୋଇ ବିଜେପି ଦଳ ରାଜ୍ୟରେ ଶାସନ କରୁଥିଲା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ବିଭାଗ ସମ୍ଭାଳିବାରେ ଅସମର୍ଥ ହେଉଛନ୍ତି । ଯଦି ଆଗାମୀ ଦିନରେ ରାକେଶ ବେହେରାଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ଭେଟ କରାନଯାଏ । ବିଜେଡିର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ଚିକିତ୍ସିତ ହେଉଥିବା ରାକେଶଙ୍କୁ ମେଡିକାଲରେ ଭେଟିବ । ରାକେଶ ବେହେରାଙ୍କ ଜୀବନ ସହିତ ଯଦି କିଛି ଅଘଟଣ ଘଟେ, ତାହାହେଲେ ପୋଲିସ କମିଶନର, ଡିଜି ଓ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ରହିବେ ବୋଲି ବିଜେଡି କହିଛି ।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ