
ହଇରାଣ ହେଉଛନ୍ତି ମେଦିନୀପୁରବାସୀ
ଦେବଗଡ: ରିଆମାଳ ବ୍ଲକ୍ ବୁଡ଼ିଦୋ ପଞ୍ଚାୟତ ମେଦିନୀପୁର ଗ୍ରାମରେ ୪ ବର୍ଷରୁ ଅଧିକ ହେଲା ରାସ୍ତା ଅବରୋଧ ସମସ୍ୟା ଲାଗି ରହିଛି। ତଥାପି ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ ସମାଧାନ ପାଇଁ କିଛି ଆଖିଦୃଶିଆ ପଦକ୍ଷେପ ନେଇପାରୁ ନାହାଁନ୍ତି। ଫଳରେ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିରହିଛି। ଗ୍ରାମବାସୀ ପୂର୍ବରୁ ବହୁବାର ଜିଲ୍ଲା ପ୍ରଶାସନ ଓ ତହସିଲଦାରଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇଥିବା ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ମେଦିନୀପୁର ଗ୍ରାମରୁ ଝଲକିଦରକୁ ସଂଯୋଗ କରୁଥିବା ରାସ୍ତାର ଗ୍ରାମ ନିକଟରେ ଗ୍ରାମର ଦୁଇଜଣ ବ୍ୟକ୍ତି ଅବରୋଧ କରି କାନ୍ଥ ଓ ତାରବାଡ଼ ଦେଇଛନ୍ତି। ଉକ୍ତ ରାସ୍ତା ଦେଇ ଚାଷୀ ଚାଷ ପାଇଁ ବ୍ୟବହୃତ ଶଗଡ଼ଗାଡ଼ି, ଟ୍ରାକ୍ଟର, ପାୱାରଟିଲର ନେଇଥାନ୍ତି। ଏହି ରାସ୍ତା ଦେଇ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ଆଣିବାକୁ ଯାଇଥାନ୍ତି। ମାତ୍ର ରାସ୍ତା ଅବରୋଧ ହୋଇଥିବାରୁ ଅନ୍ୟ ଏକ ରାସ୍ତା ଦେଇ ଯାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ୨୦୨୫ ଡିସେମ୍ବର ୧୦ ତାରିଖ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଖିଦୃଶିଆ ପଦକ୍ଷେପ ନ ନେବାରୁ ୨୦୨୬ ଜାନୁଆରି ୧୭ ତାରିଖ ଦିନ ପୁଣି ଏ ବାବଦରେ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏହି ସମସ୍ୟା ସମାଧାନ ନକରି ଆଉକିଛି ଜବରଦଖଲ କରି ନଥିବା ନିରୀହ ପ୍ରଜାଙ୍କୁ ରାଜସ୍ୱ ବିଭାଗ ନୋଟିସ ପଠାଇଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।


