
ପୁରୀ: ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ 11ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ଆଜିର ବୈଠକରେ ବିଶ୍ବ ବିପର୍ଯ୍ୟୟ ପରିଚାଳନା ଓ ପ୍ରତିହତ ନେଇ ମାନସମନ୍ଥନ ହୋଇଛି । ଏହାସହିତ ବୈଠକରେ ବାତ୍ୟା ପରିଚାଳନା, ପୂର୍ବ ସତର୍କତା, ସ୍ଥାନାନ୍ତରଣ କାର୍ଯ୍ୟ, ଗୋଷ୍ଠୀ ଭିତ୍ତିକ ସ୍ତରରେ କାର୍ଯ୍ୟକ୍ରମମାନ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ରାଜ୍ୟର ବିଶ୍ବସ୍ତରରେ ସଫଳତା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବ୍ରିକ୍ସ ଦେଶ ଆଗରେ ଓଡ଼ିଶାର ବାତ୍ୟା ମୁକାବିଲାର ସଫଳତା ସୂତ୍ର ରଖିଛନ୍ତି ମଖ୍ୟମନ୍ତ୍ରୀ ମୋହନ ମାଝୀ ।
‘ଜଗନ୍ନାଥଙ୍କ ଭୂମିରେ ଆପଣଙ୍କୁ ସ୍ବାଗତ’ କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ BRICS ସମ୍ମିଳନୀରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସ୍ବାଗତ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିପର୍ଯ୍ୟୟ ପରିଚାଳନା ଓ ହ୍ରାସ ଏକ ଜାତୀୟ ପ୍ରୟାସ । ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ବୈଠକରୁ ଉପଯୋଗୀ ନିଷ୍କର୍ସ ଆଗାମୀ ଦିନରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଉପଯୋଗୀ ହେବ ।” ଏହାସହିତ ସେ ବିପର୍ଯ୍ଯୟ ପରିଚାଳନା କ୍ଷେତ୍ରରେ ବୈଷୟିକ ଅନୁଷ୍ଠାନ, ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟାର ଅବଦାନ ବିଷୟରେ ଗୁରୁତ୍ବାରୋପ କରିଛନ୍ତି ।
ଏହି ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜର ବକ୍ତବ୍ୟ ରଖିଛନ୍ତି । ମନ୍ତ୍ରୀ ମହାବାତ୍ୟାର ଭୟଙ୍କର ସ୍ମୃତିକୁ ମନେପକାଇ ସେହି ସମୟେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅସହାୟତା ବର୍ଣ୍ଣନା କରିଥିଲେ । ଏହା ପରେ କିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଆଭିମୁଖ୍ୟ ଆପଣେଇଥିଲା ଏହା ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ସତର୍କ ସୂଚନା ପ୍ରଦାନ, ସ୍ଥାନାନ୍ତରଣ ପ୍ରକ୍ରିୟା, ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଓ ବିଶେଷ ଭାବେ ବିଭିନ୍ନ ଆଞ୍ଚଳିକ ଗୋଷ୍ଠୀଙ୍କର ଯୋଗଦାନ ଭଳି ପଦକ୍ଷେପ ରାଜ୍ୟକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ କରିଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।
ବୈଠକରେ 11ଟି ସଦସ୍ୟ ରାଷ୍ଟ୍ର ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଆହ୍ୱାନ କରିଛନ୍ତି ।


