
ଭୁବନେଶ୍ଵର: ଆୟଠୁ ଅଧିକା ଠୁଳ କରି ବନ୍ଧା ହେଲେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ। ଭିଜିଲାନ୍ସ ରେଡ୍ ବେଳେ ଯନ୍ତ୍ରୀ ବାବୁଙ୍କ ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି। ତାଙ୍କ ପାଖରୁ ୪୯ ପ୍ଲଟ୍, ପ୍ରାୟ କେଜିଏ ସୁନା, ନଗଦ ୫ ଲକ୍ଷରୁ ଅଧିକ ଟଙ୍କା, ୧୫ ଏକରରେ ୨ଟି ଫାର୍ମ ହାଉସ୍ ଏବଂ ୨ଟି ଫ୍ଲାଟ୍ ମିଳିଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।ସୂଚନାନୁଯାୟୀ, ଶୁକ୍ରବାର ଭୋର୍ ସମୟରେ ଭିଜିଲାନ୍ସ ଟିମ୍ ଜୟପୁର ପାରାବେଡ଼ାରେ ରହୁଥିବା ସତ୍ୟନାରାୟଣଙ୍କ ବାସଭବନ ସମେତ କୋଟପାଡ଼ ବ୍ଲକ୍ ଅଫିସ୍ ଚାମ୍ବର ଓ କ୍ୱାର୍ଟର, ବୋରିଗୁମ୍ମା ତହସିଲ ଅଞ୍ଚଳର ତାରାଗାଁର ଦୁଇଟି ଫାର୍ମହାଉସ୍, ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଥିବା ହାଇଟେକ୍ ପ୍ଲାଜା ବାସଭବନ, କେନ୍ଦ୍ରାପଡ଼ା ଜିଲ୍ଲା ଜହାଙ୍ଗର ପୈତୃକ ଘର ସମେତ ୭ଟି ସ୍ଥାନରେ ଏକସଙ୍ଗେ ଚଢ଼ଉ କରାଯାଇଥିଲା। ଯନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଜଟଣୀରେ ମାଧିପୁର ମଉଜାରେ ଥିବା ହାଇଟେ୍କ୍ ପ୍ଲାଜାରେ ୨ ବିଏଚ୍କେ ଫ୍ଲାଟ୍ । ଯାହାର ପରିସୀମା ୧ ହଜାର ବର୍ଗଫୁଟ୍ । ଜୟପୁର ଇନ୍ଦିରା ଛକରେ ଥିବା ଗୋଲ୍ଡେନ୍ ହାଇଟ୍ ରେସିଡେନ୍ସିରେ ଆପର୍ଟମେଣ୍ଟ୍ ବେନାମୀ ୨ ବିଏଚ୍କେ ଫ୍ଲାଟ୍। ବୋରିଗୁମ୍ମା ତହସିଲର ତାରାଗାଁରେ ୧୦.୦୩ ଏକର ଜାଗାରେ ଆମ୍ବ ବଗିଚା ଓ ନୀଳଗିରି ଗଛ ଏବଂ ସେହି ଗାଁରେ ୪.୩୫ ଏକର ଜାଗାରେ ନୀଳଗିରି ଗଛ ରହିଛି। ଏଥିସହ ବାବୁଙ୍କ ପ୍ଲଟ୍ ପ୍ରୀତି କାହିଁରେ କେତେ। ୪୯ଟି ପ୍ଲଟ୍ର କାଗଜପତ୍ର ଠାବ କରିଛି ଭିଜିଲାନ୍ସ। ସେଥିରୁ ୧୭ଟି ପ୍ଲଟ୍ ବେନାମୀ ଭାବେ ନିଜ ସମ୍ପର୍କୀୟଙ୍କ ନାଁରେ କିଣାଯାଇଛି। ଏହାର ଯାଞ୍ଚ୍ କରୁଛି ଭିଜିଲାନ୍ସ। ଏସବୁ ପ୍ଲଟ୍ ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଓ ପଟ୍ଟାଙ୍ଗୀରେ ରହିଛି।
ସେହିପରି ପାରାବେଡ଼ା ବାସଭବନରୁ ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା, ୯୪୦.୬୬ ଗ୍ରାମ୍ ସୁନା ଅଳଙ୍କାର ଓ ୨ କେଜି ୪୯୩ ଗ୍ରାମ୍ ରୁପା ଅଳଙ୍କାର ଠାବ ହୋଇଛି। ବିଭିନ୍ନ ବ୍ୟାଙ୍କ ଜମା ଖାତାରେ ରହିଛି ୬୦ ଲକ୍ଷ ୯୨ ହଜାର ୫୪୮ ଟଙ୍କା। ଘରେ ୫.୫୨ ଲକ୍ଷ ଟଙ୍କାର ଆସବାବପତ୍ର ରହିଥିବା ଆକଳନ କରିଛି ଭିଜିଲାନ୍ସ । ଗୋଟିଏ କାର୍ ଓ ବାଇକ୍ ଠାବ କରାଯାଇଛି, ଯାହା ଅନ୍ୟମାନଙ୍କ ନାଁରେ କିଣାଯାଇଛି । ପ୍ଲଟ୍ ଓ କୋଠାର ମୂଲ୍ୟ ଆକଳନ କରାଯାଉଛି । ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ ପରେ ସ୍ପଷ୍ଟ ହେବ, ବାବୁ ଜଣଙ୍କ କେତେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି। ସତ୍ୟନାରାୟଣ ସେଠୀ କନିଷ୍ଠ ଯନ୍ତ୍ରୀ ଭାବେ ୧୯୯୮ରେ ସତ୍ୟ ନିଯୁକ୍ତି ପାଇଥିଲେ। ଦରମା ଥିଲା ମାତ୍ର ୭ ହଜାର ଶହେ। ୨୮ ବର୍ଷରେ ପାଲଟି ଯାଇଛନ୍ତି କୁବେର। ଠୁଳ କରିଛନ୍ତି କୋଟିକୋଟି ଟଙ୍କାର ସମ୍ପତ୍ତି। ଏଭଳି ଅମାପ ସମ୍ପତ୍ତିର ମାଲିକ ସାଜିଛନ୍ତି ଯନ୍ତ୍ରୀ।


