
ନିମାପଡ଼ା: ଏହି ବ୍ଲକ ଡେଣୁଅଁ ପଂଚାୟତ ଅନ୍ତର୍ଗତ ଆଳିପିଙ୍ଗଳ ଗ୍ରାମ ବାବା ବଟେଶ୍ଵର ଛକ ନିକଟରେ ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟ,ହୁଳହୁଳି, ମନ୍ତ୍ର ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ରବିବାର ଅପରାହ୍ନରେ ଆଖପାଖ ଅଞ୍ଚଳର ୨୫ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ କୁଶଭଦ୍ରା ନଦୀ କୂଳ ଠାରୁ ତ୍ରିନାଥ ଦେବଙ୍କ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରା କରି ୬୦ଟି କଳସ ଜଳ ସଂଗ୍ରହ କରାଯାଇଥିଲା।ମଣ୍ଡଳ କରଣ ଓ କଳସ ସ୍ଥାପନ ପରେ ସୋମବାର ଦିନ ସକାଳୁ ଠାକୁରଙ୍କ ରୀତିନୀତି ଅନୁଯାୟୀ ବରୁଣ ପୂଜା,ଦୀପ ସ୍ଥାପନ,କଳସ ପୂଜା ଅର୍ଚ୍ଚନା କରାଯାଇ ମନ୍ଦିର ସ୍ନାନ ନୀତି ଶେଷ କରାଯାଇଥିଲା।ପରେ ମନ୍ତ୍ର ଧୋନୀରେ ହୋମ ଯଜ୍ଞ ଆରମ୍ଭ କରାଯାଇ ରୀତିନୀତି ଅନୁଯାୟୀ ମନ୍ଦିର ଚକ୍ର ସ୍ଥାପନା ହୋଇ ମନ୍ଦିର ପ୍ରବେଶ ନୀତି ଆରମ୍ଭ କରାଯାଇଥିଲା।ଏହି ପ୍ରତିଷ୍ଠା କାର୍ଯ୍ୟର ମୁଖ୍ୟ ପରିଚାଳନା ଦାୟିତ୍ୱରେ ବ୍ୟବସାୟୀ ବିମ୍ବାଧର ବେହେରା ଦାୟିତ୍ୱରେ ଥିବା ବେଳେ ପୂଜା ଅର୍ଚ୍ଚନା ତଥା ମୁଖ୍ୟ ପୁରୋହିତ ଭାବେ ଦେବରାଜ ମିଶ୍ର,ଦିବାକର ନନ୍ଦ, କର୍ତ୍ତାକର୍ତ୍ତି ଭାବେ ବଂଶୀଧର ମିଶ୍ର ଓ ବିଜାଲିନ ମିଶ୍ର ଦାୟିତ୍ୱ ସମାପନ କରିଥିଲେ। ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା।


