ଭେନେଜୁଏଲାରେ ଭୟଙ୍କର ଭୂକମ୍ପ ; ଧ୍ବଂସସ୍ତୂପ ତଳେ ହଜାର ହଜାର ଜୀବନ

କାରାକାସ : ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ଗୁରୁବାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ଦେଶର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ କହିବା ଅନୁଯାୟୀ ଭୂମିକମ୍ପ ଯୋଗୁଁ ୧୬୪ଜଣ ପ୍ରାଣ ହରାଇଥିବାବେଳେ ୯୭୧ଜଣ ଆହତ ହୋଇଛନ୍ତି। ଭାଙ୍ଗିଯାଇଥିବା କୋଠାବାଡି ମଧ୍ୟରେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ଏହି ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ରିପୋର୍ଟ ଅନୁଯାୟୀ ଉପକୂଳ ସହର ମୋରୋନରେ ୭.୧ ଓ ୭.୫ ତୀବ୍ରତାର ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ରାଜଧାନୀ କାରାକାସ ଠାରୁ ୧୬୪ କିମି ଦୂର ଏହି ସହରରେ ପ୍ରଥମେ ୭.୧ ତୀବ୍ରତା ଓ ଏହାର ୩୯ ସେକେଣ୍ଡ ପରେ ୭.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏପରି କି ପ୍ରଥମ ଭୂମିକମ୍ପ ପରେ ପ୍ରାୟ ୨୪ଥର କମ୍ପନ ଅନୁଭୂତ ହୋଇଥିଲା। ୟୁଏସ୍‌ଜିଏସ୍‌ର କହିବା ଅନୁଯାୟୀ ଭୂପୃଷ୍ଠର ୧୦କିମି ଗଭୀରରେ ଏହି ଭୂମିକମ୍ପ ଉତ୍ପତ୍ତି ହୋଇଥିଲା। ଭୂମିକମ୍ପ ପ୍ରଭାବରେ ମୋରୋନା ସହିତ ରାଜଧାନୀ କାରାକାସ, ବାରୁତା, ଚାକାଓ ଓ ସାନ ବର୍ଣ୍ଣାଡିନୋ ସହରରେ ଅନେକ କୋଠାବାଡି ଭାଙ୍ଗିଯିବା ସହ ଏହା ମଧ୍ୟରେ ଚାପି ହୋଇ ଶହଶହ ଲୋକ ପ୍ରାଣ ହରାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୦ ହଜାରରୁ ଏକ ଲକ୍ଷ ମଧ୍ୟରେ ରହିବା ଆଶଙ୍କା କରାଯାଇଛି। ଏହି ଭୂମିକମ୍ପକୁ ନେଇ ଦେଶରେ ଜରୁରିକାଳୀନ ପରିସ୍ଥିତ ଘୋଷଣା କରାଯାଇଛି। ଦୀର୍ଘ ୧୨୬ବର୍ଷ ପରେ ଭେନେଜୁଏଲାରେ ଏପରି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପରେ କାରାକାସର ସିମନ୍ ବୋଲିଭାର୍ ଆନ୍ତର୍ଜାତୀକ ବିମାନବନ୍ଦର ଟର୍ମିନାଲ ଛାତ ଭୁଶୁଡି ପଡିଛି। ଫଳରେ ବିମାନବନ୍ଦରକୁ ଏବେ ବନ୍ଦ କରିଦିଆଯାଇଛି। ସେହିପରି ମେଟ୍ରୋ ଷ୍ଟେସନ ଓ ରେଳ ଷ୍ଟେସନ ମଧ୍ୟ ଭାଙ୍ଗିରୁଜି ଯାଇଛି।
ରାଜଧାନୀ କାରାକାସ୍, ଚାକାଓ, ବାରୁତା ଓ ସାନ ବର୍ଣ୍ଣାଡିନୋ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ଅନେକ ବହୁତଳ ପ୍ରାସାଦ ଓ ଆପାର୍ଟମେଣ୍ଟ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଜାତିସଂଘ, ୟୁରୋପୀୟ ୟୁନିୟନ, ଆମେରିକା, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଜର୍ମାନୀ ଏବଂ ଇରାନ ଭଳି ଅନେକ ଦେଶ ସହାୟତାର ହାତ ବଢ଼ାଇଛନ୍ତି। ସ୍ବିଜରାଲ୍ୟାଣ୍ଡ ଏକ ୮୦ଜଣିଆ ଉଦ୍ଧାରକାରୀ ଦଳ ପଠାଇଛି। ଉଦ୍ଧାରକାରୀ ଦଳରେ ୮ଟି ସନ୍ଧାନୀ କୁକୁର ରହିଛନ୍ତି। ଏହାସହିତ ବିଭିନ୍ନ ପ୍ରକାର ଉପକରଣ ରହିଛି। ସ୍ପେନ ଏହାର ସୈନ୍ୟ ବାହିନୀର ୫୪ଜଣିଆ ଉଦ୍ଧାରକାରୀ ଦଳ ପଠାଇଛି। ଏଥିରେ ମଧ୍ୟ ସ୍ବତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ସନ୍ଧାନୀ କୁକୁର ରହିଛନ୍ତି। ଜର୍ମାନୀ ପକ୍ଷରୁ ୬ଟି ଯୁଦ୍ଧବିମାନ ପଠାଯାଇଛି। ଯାହା ରିଲିଫ୍ ସାମଗ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ହେବ।
ଭେନେଜୁଏଲା ସହିତ ଜାପାନ ଓ କାଲିଫର୍ଣ୍ଣିଆରେ ମଧ୍ୟ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନର ଉତ୍ତର ଉପକୂଳରେ ୭.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି କାରଣରୁ ବହୁତଳ କୋଠାଗୁଡ଼ିକ ଦୋହଲି ଯାଇଥିଲା ଏବଂ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। ଜାପାନ ପାଣିପାଗ ସଂସ୍ଥା ପ୍ରଥମେ ଏହି ଭୂକମ୍ପର ତୀବ୍ରତା ୬.୯ ବୋଲି ଆକଳନ କରିଥିଲା, କିନ୍ତୁ ପରେ ଏହାକୁ ସଂଶୋଧନ କରି ୭.୨ ବୋଲି ଘୋଷଣା କରିଛି। ଏହାର କେନ୍ଦ୍ରସ୍ଥଳୀ ଇୱାତେ ପ୍ରଦେଶର ପୂର୍ବ ଉପକୂଳରୁ ପ୍ରାୟ ୫୦ କିଲୋମିଟର ଗଭୀରତାରେ ଥିଲା। ଏହି ଭୂକମ୍ପ ଯୋଗୁଁ ସୁନାମି ସତର୍କ ସୂଚନା ଦିଆଯାଇ ନାହିଁ। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ଯେ ସରକାର ତୁରନ୍ତ ସଙ୍କଟ ପରିଚାଳନା ବ୍ୟବସ୍ଥାକୁ ସକ୍ରିୟ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୋବାଇଲ୍ ଫୋନରେ ସୁଟିଂ ହୋଇଥିବା ଭିଡିଓଗୁଡ଼ିକରେ ଦେଖିବାକୁ ମିଳିଛି ଯେ ଭୂକମ୍ପ ଯୋଗୁଁ ଘର ଭିତରେ ଥିବା ସାମଗ୍ରୀ ସବୁ ଏପଟ ସେପଟ ହୋଇ ତଳେ ପଡ଼ିଯାଇଛି ଏବଂ ଛାତରେ ଲାଗିଥିବା ଲାଇଟ୍ ଗୁଡ଼ିକ ଜୋରରେ ଦୋହଲୁଛି। ଜାପାନର ଏହି ଭୂମିକମ୍ପରେ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ। ସେହିପରି ଆମେରିକାର ଉତ୍ତର କାଲିଫର୍ଣ୍ଣିଆର ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇ ନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ସାନ ଫ୍ରାନ୍ସିସ୍କୋ ଠାରୁ ପ୍ରାୟ ୧୪୦ ମାଇଲ (୨୨୫ କିମି) ଉତ୍ତର-ପୂର୍ବରେ ଥିଲା।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ