କ୍ୟାବିନେଟ : ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାକୁ ମଞ୍ଜୁରୀ

ଭୁବନେଶ୍ବର : କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ହେବ ଲାଗୁ । ଶିକ୍ଷାନୁଷ୍ଠାନରେ ଛାଡ଼ ହେବ ନାମଲେଖା ଫି’ । କ୍ୟାବିନେଟ ବୈଠକରେ ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାକୁ ମଞ୍ଜୁରୀ ମିଳିଛି। ଏଥିସହ ରାଜ୍ୟ କ୍ୟାବିନେଟର ୪୩ତମ ବୈଠକରେ ରାଜ୍ୟର ବିକାଶ ପାଇଁ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମଳିଛି। ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ସହିତ ସମ୍ପର୍କିତ ଗୋଟିଏ ଯୁଗାନ୍ତକାରୀ ନିଷ୍ପତ୍ତି ହେଉଛି ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି । ଏହି ଯୋଜନାରେ କେଜି ରୁ ପିଜି ପର୍ଯ୍ୟନ୍ତ ଓଡିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ରାଜ୍ୟର ଜଣେ ବି ଛାତ୍ରଛାତ୍ରୀ ଆଉ ଆର୍ଥିକ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। କିମ୍ବା ପାଠପଢା ମଝିରୁ ପାଠ ଛାଡିବେ ନାହିଁ। ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ଅଧିକ ସହଜଲଭ୍ୟ, ସମାନତା ଭିତ୍ତିକ ଏବଂ ସୁଲଭ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ।

ଏହି ଯୋଜନା ଅଧୀନରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ନିୟମିତ ବା ରେଗୁଲାର୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି’ ଛାଡ଼ କରାଯିବ। ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରୁ ଏହା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ନବମରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସମେତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନିୟମିତ ଭାବେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଓଡ଼ିଶାରେ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ଦେୟମୁକ୍ତ ଥିଲା।

ଆର୍ଥିକ ଅଭାବ ଅନାଟନ ଯୋଗୁଁ ଯେପରି କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଛି। ବିଶେଷ କରି ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ପଛୁଆ ବର୍ଗର ପରିବାରଗୁଡ଼ିକ ଉପରୁ ଆର୍ଥିକ ବୋଝ ହ୍ରାସ କରି ଏହି ଯୋଜନା ନାମଲେଖା ବୃଦ୍ଧି କରିବ। ସ୍କୁଲ୍ ଓ କଲେଜର ଉପସ୍ଥାନରେ ସୁଧାର ଆସିବ, ପାଠପଢ଼ା ଅଧାରୁ ଛାଡ଼ିବା ହାର ହ୍ରାସ ହେବ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିନା କୌଣସି ବାଧାରେ ଉଚ୍ଚଶିକ୍ଷା ଜାରି ରଖିବାରେ ସକ୍ଷମ ହେବେ।

ଏହି ଯୋଜନାର ଲାଭ କେବଳ ଯୋଗ୍ୟ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକ ଦ୍ୱାରା ପରିଚାଳିତ ନିୟମିତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ହିଁ ମିଳିବ। ସେଲ୍ଫ-ଫାଇନାନ୍‌ସିଙ୍ଗ୍ ପାଠ୍ୟକ୍ରମ କିମ୍ବା ଅନୁଷ୍ଠାନ, ବେସରକାରୀ ଅଣ-ଅନୁଦାନପ୍ରାପ୍ତ ଅନୁଷ୍ଠାନ, ପିପିପି ମୋଡ୍‌ର ଅନୁଷ୍ଠାନ ଓ ପାଠ୍ୟକ୍ରମ, ଏବଂ ବୃତ୍ତିଗତ ଓ ବୈଷୟିକ କାର୍ଯ୍ୟକ୍ରମଗୁଡ଼ିକୁ ଏହି ଯୋଜନାର ପରିସରଭୁକ୍ତ କରାଯାଇ ନାହିଁ।

ଶିକ୍ଷାକୁ ସାମଗ୍ରିକ ଏବଂ ସ୍ଥାୟୀ ବିକାଶର ଭିତ୍ତି ଭାବେ ଗ୍ରହଣ କରି, ଓଡ଼ିଶା କ୍ୟାବିନେଟ୍ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରଥମ ଆର୍ଥିକ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫,୪୬୭.୫୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ମଞ୍ଜୁରୀ ଦେଇଛନ୍ତି।

ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ୍ତମ ପୁଞ୍ଜିନିବେଶ ମଧ୍ୟରୁ ଏହା ଅନ୍ୟତମ ଏବଂ ଏହାଦ୍ୱାରା ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ସେମାନଙ୍କ ପରିବାରର ଆର୍ଥିକ ବୋଝ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବ।ଏହି ପ୍ରୟାସ ଜାତୀୟ ଶିକ୍ଷା ନୀତି (NEP) ୨୦୨୦, ଓଡ଼ିଶା ଭିଜନ ୨୦୩୬ ଏବଂ ଓଡ଼ିଶା ଭିଜନ ୨୦୪୭ ର ଉଦ୍ଦେଶ୍ୟକୁ ପୂରଣ କରିବାରେ ସହାୟକ ହେବ।

“ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” କେବଳ ଏକ ଫି’ ଛାଡ଼ କାର୍ଯ୍ୟକ୍ରମ ନୁହେଁ। ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଓଡ଼ିଶାର ପ୍ରତ୍ୟେକ ଶିଶୁ ଏବଂ ଯୁବକଯୁବତୀଙ୍କୁ ଶିକ୍ଷା ଗ୍ରହଣର ସମାନ ସୁଯୋଗ ମିଳିବା ନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୟାସ ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ସଶକ୍ତ କରିବ ଏବଂ ଜ୍ଞାନ, ସୁଯୋଗ ଓ ସାମଗ୍ରିକ ବିକାଶ ଉପରେ ଆଧାରିତ ଏକ “ବିକଶିତ ଓଡ଼ିଶା”ର ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ