ରାମ ମନ୍ଦିର ପରେ ବଦ୍ରିନାଥ-କେଦାରନାଥରେ ବି ଚାନ୍ଦା ଚୋରି! ଆରମ୍ଭ ହେଲା ତଦନ୍ତ

ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ଘଟଣା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ଆଉ ଏକ ପ୍ରତିଷ୍ଠିତ ଧର୍ମପୀଠରୁ ଆସିଛି ସମାନ ଅଭିଯୋଗ। ପ୍ରସିଦ୍ଧ ବଦ୍ରିନାଥ-କେଦାରନାଥ ମନ୍ଦିରରୁ ମଧ୍ୟ ଚାନ୍ଦା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଶ୍ରଦ୍ଧାଳୁମାନେ ଶ୍ରୀ ବଦ୍ରିନାଥ ଧାମକୁ ଦେଉଥିବା ଦାନରେ ହେରଫେର ହୋଇଥିବା ଅଭିଯୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏହି ଅଭିଯୋଗ ପରେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି(ବିକେଟିସି) ତଦନ୍ତ ଆରମ୍ଭ କରିଛି।

ବିକେଟିସି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀଙ୍କ କହିବା କଥା ଯେ ଘଟଣାର ନିରପେକ୍ଷ ଓ ତଥ୍ୟ ଭିତ୍ତିକ ତଦନ୍ତ ପାଇଁ କମିଟି ନିର୍ଦ୍ଦେଶ ଦେଇଛି। ତଦନ୍ତ ପାଇଁ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯାଇଛି। ସେହିପରି ଦାନର ଗଣତି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜବାବ ତଲବ ହୋଇଛି। ତଦନ୍ତ ବେଳେ ଯଦି କୌଣସି କର୍ମଚାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ବେଶ କିଛି ଦିନ ହେବ ସୋଶାଲ ମିଡିଆରେ ମନ୍ଦିରକୁ ଚାନ୍ଦା ସୂତ୍ରରେ ମିଳୁଥିବା ଅର୍ଥ ଓ ଅନ୍ୟାନ୍ୟ ଜିନିଷକୁ ଠିକ ଭାବେ ପରିଚାଳନା କରାଯାଉ ନଥିବା ଅଭିଯୋଗ ହୋଇ ଚାଲିଛି। ବାରମ୍ବାର ସୋଶାଲ ମିଡିଆରେ ଚାନ୍ଦା ଚୋରି ଅଭିଯୋଗ ଆସିବାରୁ ବିକେଟିସ ଘଟଣାକୁ ନିଜ ଆଡ଼କୁ ତଦନ୍ତ ପାଇଁ ନିଷ୍ପତ୍ତି ନେଇଛି।

କମିଟି କହିଛି ଯେ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାରେ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କର ଆସ୍ଥା ଏହି ପବିତ୍ର ଧାମ ସହ ଜଡ଼ିତ ଥିବାରୁ ମାମଲାକୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି।
ଗୋଟିଏ ଭିଡିଓ ବାର୍ତ୍ତାରେ ଅଧ୍ୟକ୍ଷ ଦ୍ୱିବେଦୀ କହିଛନ୍ତି ଯେ “ଶ୍ରୀ ବଦ୍ରିନାଥ-କେଦାରନାଥ ଧାମରେ ଦାନ ଓ ଅର୍ଥ ହେରଫେର ସମ୍ପର୍କିତ ସୋଶାଲ ମିଡିଆରେ ପ୍ରଚାରିତ ଖବର ଏବଂ ଅଭିଯୋଗକୁ ମନ୍ଦିର କମିଟି ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ଦାନର ଗଣତି ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଆମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାରଣ ଦର୍ଶାଅ ନୋଟିସ୍ ଜାରି କରିସାରିଛନ୍ତି।”

ହିନ୍ଦୁ ସଂଗଠନ ଭୈରବ ସେନାର ପ୍ରତିଷ୍ଠାତା ସଭାପତି ସନ୍ଦୀପ ଖତ୍ରୀ ବିକେଟିସିର ସିଇଓ ସୋହନ ସିଂହ ରାଙ୍ଗଡ଼ଙ୍କୁ ଅଭିଯୋଗପତ୍ର ପଠାଇବା ପରେ ପୂରା ମାମଲା ସାମ୍ନାକୁ ଆସିଛି। ଜୁଲାଇ ୩ରେ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ ବଦ୍ରିନାଥ ଧାମରେ ଦାନର ଗଣତି ସମୟରେ ବ୍ୟାପକ ଚୋରି ହୋଇଥିବା ସୂଚନା ମିଳିଛି। ବିକେଟିସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ଗଣତି ବେଳେ ଟଙ୍କା ଚୋରି କରିଥିଲେ। ତେଣୁ ଏହି ଘଟଣାରେ ତୁରନ୍ତ ଏଫଆଇଆର୍ ରୁଜୁ କରି ନିରପେକ୍ଷ ତଦନ୍ତ କରିବାକୁ ଶ୍ରୀ ଖତ୍ରୀ ଦାବି କରିଥିଲେ।

ମନ୍ଦିର କମିଟିର ଦସ୍ତାବିଜ ଅନୁସାରେ, ୨୦୨୬ ଏପ୍ରିଲ ୯ରେ ତତ୍କାଳୀନ ସିଇଓ ବିଶାଳ ମିଶ୍ରା ଜାରି କରିଥିବା ରୋଷ୍ଟରରେ ପ୍ରମୋଦ ନୌଟିୟାଲଙ୍କ ନାମ ‘ଥାଳି’ ଗଣନା କମିଟିର ସଦସ୍ୟ ଭାବେ ସାମିଲ ଥିଲା। ପ୍ରମୋଦ ନୌଟିୟାଲ ୨୦୧୪ ମସିହାରୁ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଛନ୍ତି। ତତ୍କାଳୀନ ଅଧ୍ୟକ୍ଷ ଗଣେଶ ଗୋଡିୟାଲଙ୍କ ସମୟରୁ ସେ ଏହି ଦାୟିତ୍ୱରେ ରହିଛନ୍ତି।

ମନ୍ଦିର କମିଟି ସୂତ୍ର ଅନୁଯାୟୀ, ବଦ୍ରିନାଥ ଧାମରେ ଦାନର ଗଣନା ଏକ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ କରାଯାଏ। ଦାନ ବକ୍ସ ଖୋଲାଯିବା କଥାକୁ ସାର୍ବଜନୀନ ଭାବେ ଘୋଷଣା କରାଯାଏ। ଏହି ସମୟରେ ବ୍ୟାଙ୍କ କର୍ମଚାରୀ, ମନ୍ଦିର କମିଟିର ଅଧିକାରୀ, ପ୍ରୋଟୋକଲ ଅଧିକାରୀ ଓ ଅନ୍ୟ ଅନୁମୋଦିତ ସଦସ୍ୟମାନେ ଉପସ୍ଥିତ ରୁହନ୍ତି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମଗ୍ର ଗଣନା ପ୍ରକ୍ରିୟା ନିର୍ଦ୍ଧାରିତ ନିୟମ ଅନୁଯାୟୀ ପରିଚାଳିତ ହୁଏ।

ଅଭିଯୋଗପତ୍ରରେ କୁହାଯାଇଛି ଯେ ଜୁଲାଇ ୨ ତାରିଖ ସକାଳ ପ୍ରାୟ ୮.୩୦ରେ ଦାନର ଗଣନା ସମୟରେ ଘଟିଥିବା ଚୋରି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ତେବେ ଏହି ଦାବିର ସତ୍ୟତାକୁ ନେଇ ମନ୍ଦିର କମିଟି କିଛି ବି କହିନି।

ଦାନ ଚୋରି ଅଭିଯୁକ୍ତ କର୍ମଚାରୀ ଜଣଙ୍କ ଦ୍ୱିବେଦୀଙ୍କ ବ୍ୟକ୍ତିଗତ ସଚିବ ବୋଲି ସୋଶାଲ ମିଡିଆରେ ପ୍ରଚାର କରାଯାଉଛି। କିନ୍ତୁ ଏହାକୁ ଦ୍ୱିବେଦୀ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ “ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋର କୌଣସି ବ୍ୟକ୍ତିଗତ ସଚିବ ନାହାନ୍ତି।

ଯେଉଁମାନଙ୍କ ବିଷୟରେ କୁହାଯାଉଛି ସେମାନେ ସମସ୍ତେ ମନ୍ଦିର କମିଟିର ନିୟମିତ କର୍ମଚାରୀ। ‘ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ’ ବୋଲି ଯାହାଙ୍କୁ କୁହାଯାଉଛି, ସେ ପ୍ରକୃତରେ ବଦ୍ରି-କେଦାର ମନ୍ଦିର କମିଟିର ଜଣେ ସାଧାରଣ କର୍ମଚାରୀ।”

ବିକେଟିସିର ସିଇଓ ସୋହନ ସିଂହ ରାଙ୍ଗଡ଼ କହିଛନ୍ତି, ଅଭିଯୋଗ ସାମ୍ନାକୁ ଆସିବା ପରେ ମନ୍ଦିର ପରିସରର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। କିନ୍ତୁ ଉପଲବ୍ଧ ଫୁଟେଜରେ ଚୋରି ନେଇ ପର୍ଯ୍ୟାପ୍ତ ସ୍ପଷ୍ଟତା ମିଳିନି।

ସମ୍ପୃକ୍ତ କର୍ମଚାରୀଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇଥିବା ବେଳେ ଔପଚାରିକ ଭାବେ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ ପାଇଁ ପ୍ରସ୍ତାବ ଅଧ୍ୟକ୍ଷଙ୍କ ନିକଟରେ ରଖାଯାଇଛି। ତଦନ୍ତ ପ୍ୟାନେଲ ସମସ୍ତ ଉପଲବ୍ଧ ପ୍ରମାଣ, ସମ୍ପର୍କିତ ଦସ୍ତାବିଜ ଓ ସମସ୍ତଙ୍କ ବୟାନ ଯାଞ୍ଚ କରି ରିପୋର୍ଟ ଦାଖଲ କରିବ।

ଯଦି ତଦନ୍ତରେ କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଆଇନ, ୧୯୩୯ ଓ ପ୍ରଚଳିତ କର୍ମଚାରୀ ଆଚରଣ ବିଧି ଅନୁଯାୟୀ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ଅଭିଯୋଗକୁ ସତ୍ୟ ବୋଲି ଧରିନେବା ଉଚିତ୍ ନୁହେଁ। ଶ୍ରୀ ବଦ୍ରିନାଥ ଧାମ ସହ କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବାବେଗ ଜଡ଼ିତ ଥିବାରୁ ସମସ୍ତଙ୍କୁ ଧୈର୍ଯ୍ୟ ଧାରଣ କରିବାକୁ ସେ ଅନୁରୋଧ କରିଛନ୍ତି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ