ଭାରତକୁ ୟୁରେନିୟମ ଯୋଗାଇବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ଙ୍କ ମଧ୍ୟରେ ମେଲବୋର୍ଣ୍ଣରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ପରେ ଗୁରୁବାର ଜାରି ହୋଇଥିବା ମିଳିତ ବିବୃତ୍ତିରେ ଅଷ୍ଟ୍ରେଲିଆ ଭାରତକୁ କେବଳ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଦୀର୍ଘମିଆଦୀ ୟୁରେନିୟମ ରପ୍ତାନି କରିବାକୁ ସମ୍ମତି ପ୍ରକାଶ କରିଛି।ଉଭୟ ଦେଶ ଘୋଷଣା କରିଛନ୍ତି ଯେ, ୨୦୧୫ରେ ସ୍ୱାକ୍ଷରିତ ଅଷ୍ଟ୍ରେଲିଆ-ଭାରତ ପରମାଣୁ ସହଯୋଗ ଚୁକ୍ତି ଅନୁଯାୟୀ, ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା (IAEA)ର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଭାରତକୁ କେବଳ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆର ୟୁରେନିୟମ ରପ୍ତାନି ସମ୍ଭବ କରିବା ପାଇଁ ଆବଶ୍ୟକ ପ୍ରଶାସନିକ ବ୍ୟବସ୍ଥାକୁ ଚୂଡ଼ାନ୍ତ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଜୁଲାଇ ୮ରୁ ୧୦ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଏହି ଗସ୍ତ ତାଙ୍କର ଉଚ୍ଚସ୍ତରୀୟ ତିନି ଦେଶୀୟ ଇଣ୍ଡୋ-ପାସିଫିକ୍ ଯାତ୍ରାର ଏକ ଅଂଶ। ବୈଠକ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଆନ୍ଥୋନି ଆଲବାନିଜ୍ କହିଥିଲେ, “ଏହି ବ୍ୟବସ୍ଥା ଭାରତକୁ ଅଷ୍ଟ୍ରେଲିଆର ୟୁରେନିୟମ ରପ୍ତାନିକୁ ସୁଗମ କରିବ ଏବଂ ଭାରତର ଅଣ-ଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ଅଂଶ ବଢ଼ାଇବାରେ ସହାୟକ ହେବ।”ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ଉଭୟ ଦେଶ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରି ଉର୍ଜା ଯୋଗାଣ ଶୃଙ୍ଖଳର ସ୍ଥିରତା, ଉର୍ଜା କ୍ଷେତ୍ରର ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା, ନବୀକରଣଯୋଗ୍ୟ ଉର୍ଜାର ପ୍ରସାର ଏବଂ ଉର୍ଜା ପଦାର୍ଥର ମୁକ୍ତ ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବଦ୍ଧ। ଉଭୟ ଦେଶ ମଧ୍ୟପ୍ରାଚ୍ୟର ପରିସ୍ଥିତି ଏବଂ ଏହାର ପ୍ରଭାବକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷକରି ଉର୍ଜା, ଖଣିଜ ସମ୍ପଦ ଏବଂ ଅନ୍ୟାନ୍ୟ ଜରୁରୀ ପଣ୍ୟର ଯୋଗାଣ ଶୃଙ୍ଖଳ ଓ ମୂଲ୍ୟ ଉପରେ ଏହାର ଦୀର୍ଘସ୍ଥାୟୀ ପ୍ରଭାବକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଏଥିସହ ଚାଲିଥିବା ବାଧାବିଘ୍ନ ମଧ୍ୟରେ ଉଭୟ ଦେଶ ଖୋଲା ବଜାର ବ୍ୟବସ୍ଥା ଏବଂ ନିୟମ ଆଧାରିତ ବାଣିଜ୍ୟ ପ୍ରତି ନିଜର ସାମୂହିକ ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଛନ୍ତି। ସେମାନେ କହିଛନ୍ତି ଯେ, ଏହି ନୀତି ଉଭୟ ଦେଶର ସମୃଦ୍ଧି ଓ ଆର୍ଥିକ ସୁରକ୍ଷାର ଭିତ୍ତି ଅଟେ।

ଭାରତ ଓ ଅଷ୍ଟ୍ରେଲିଆ ଉର୍ଜା କ୍ଷେତ୍ରରେ ବିଦ୍ୟୁତୀକରଣର ବଢ଼ୁଥିବା ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଛନ୍ତି। ସେମାନଙ୍କ ମତରେ, ଉଭୟ ଦେଶର ଉର୍ଜା ବ୍ୟବସ୍ଥାରେ ବଢ଼ୁଥିବା ବିଦ୍ୟୁତୀକରଣ ଭବିଷ୍ୟତରେ ଉର୍ଜା ସୁରକ୍ଷାର ଏକ ମୂଲ୍ୟବାନ ଆଧାର ହେବ। ଉଭୟ ଦେଶ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ରଗୁଡ଼ିକ ସମ୍ମୁଖୀନ ହେଉଥିବା ଉର୍ଜା ସୁରକ୍ଷା ଚ୍ୟାଲେଞ୍ଜକୁ ସ୍ୱୀକାର କରି ସେମାନଙ୍କ ସ୍ଥିରତା ଓ ଆର୍ଥିକ ସମୃଦ୍ଧି ପାଇଁ ନିର୍ଭରଯୋଗ୍ୟ ଉର୍ଜା ଯୋଗାଣର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଭାରତ ଓ ଅଷ୍ଟ୍ରେଲିଆ କୋଇଲା, ଡିଜେଲ୍, ଅନ୍ୟାନ୍ୟ ତରଳ ଇନ୍ଧନ ଏବଂ ପ୍ରାକୃତିକ ଗ୍ୟାସ ଭଳି ଉର୍ଜା ପଦାର୍ଥର ସ୍ଥିର, ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଯୋଗାଣ ବଜାୟ ରଖିବାକୁ ପୁଣିଥରେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି। ଭୟ ଦେଶ ନିମ୍ନ-କାର୍ବନ ଇନ୍ଧନ କ୍ଷେତ୍ରରେ ସହଯୋଗ ବଢ଼ାଇବା ଏବଂ ଉର୍ଜା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ, ଭାରତର ଗ୍ଲୋବାଲ ବାୟୋଫ୍ୟୁଏଲ୍ସ ଆଲାଏନ୍ସ ପଦକ୍ଷେପକୁ ସ୍ୱାଗତ କରିଛି।

ଦୁଇ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଶିଳ୍ପ, ଗବେଷଣା ଓ ସାମଗ୍ରୀ କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ମଧ୍ୟ ସ୍ୱୀକାର କରିଛନ୍ତି। ସେମାନେ ପ୍ରତିରକ୍ଷା ସାମଗ୍ରୀ ଓ ପ୍ରତିରକ୍ଷା ସେବା ଯୋଗାଣ ପାଇଁ ଏକ ସମଝୋତା ସ୍ମାରକ (MoU) ପ୍ରସ୍ତୁତ କରିବାର ଚାଲିଥିବା ପ୍ରକ୍ରିୟାକୁ ସ୍ୱାଗତ କରିବା ସହିତ ଅଷ୍ଟ୍ରେଲିଆ ଓ ଭାରତର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ସଂଯୋଗ ବୃଦ୍ଧି ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏଥିରେ ଭାରତକୁ ଅଷ୍ଟ୍ରେଲିଆର ପ୍ରଥମ ପ୍ରତିରକ୍ଷା ବାଣିଜ୍ୟ ମିଶନ୍ ଏବଂ ଅଷ୍ଟ୍ରେଲିଆ-ଭାରତ ପ୍ରତିରକ୍ଷା ଶିଳ୍ପ ରାଉଣ୍ଡଟେବୁଲ୍ ମଧ୍ୟ ସାମିଲ ଅଛି।

ଆଞ୍ଚଳିକ ସହଯୋଗକୁ ଆହ୍ୱାନ କରି ମିଳିତ ବିବୃତ୍ତିରେ କୁହାଯାଇଛି, “ବିଶ୍ୱ ଉର୍ଜା ସମ୍ପଦ ଯୋଗାଣ ଶୃଙ୍ଖଳକୁ ଖୋଲା ରଖିବା ପାଇଁ ଅଷ୍ଟ୍ରେଲିଆ ଓ ଭାରତ ଆଞ୍ଚଳିକ ଭାଗୀଦାରମାନଙ୍କୁ ଏକାଠି ହେବାକୁ ଆହ୍ୱାନ କରୁଛନ୍ତି, ଯାହା ଆମ ଦେଶବାସୀଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଲାଭଦାୟକ ହେବ।” ବିଶ୍ୱସ୍ତ ବେସରକାରି ଭାଗୀଦାରିର ଗୁରୁତ୍ୱକୁ ସ୍ୱୀକାର କରି ଉଭୟ ଦେଶ ଭାରତ-ଅଷ୍ଟ୍ରେଲିଆ ଆର୍ଥିକ ସହଯୋଗ ଓ ବାଣିଜ୍ୟ ଚୁକ୍ତି (ECTA), ଚାଲିଥିବା ସମ୍ପୂର୍ଣ୍ଣ ଆର୍ଥିକ ସହଯୋଗ ଚୁକ୍ତି (CECA) ଆଲୋଚନା ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ବ୍ୟବସ୍ଥା ମାଧ୍ୟମରେ ଦ୍ୱିପାକ୍ଷିକ ଉର୍ଜା ବାଣିଜ୍ୟ ଓ ବିନିଯୋଗକୁ ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

ବିବୃତ୍ତିରେ କୁହାଯାଇଛି ଯେ, ଅଷ୍ଟ୍ରେଲିଆ ଓ ଭାରତ ବିଶ୍ୱସ୍ତ ବେସରକାରି କ୍ଷେତ୍ରର ଭାଗୀଦାରି ଏବଂ କୌଶଳଗତ ବିନିଯୋଗକୁ ସ୍ଥାୟୀ ଓ ନିର୍ଭରଯୋଗ୍ୟ ଉର୍ଜା ପ୍ରବାହର ମୂଳ ଆଧାର ଭାବେ ସ୍ୱୀକାର କରୁଛନ୍ତି। ସେହିପରି ଉର୍ଜା କ୍ଷେତ୍ରରେ ଦକ୍ଷତା ବିକାଶ ଓ ଜ୍ଞାନର ଆଦାନ-ପ୍ରଦାନ ଉପରେ ମଧ୍ୟ ଜୋର ଦିଆଯାଇଛି।

ଉଭୟ ଦେଶର ଉର୍ଜା କ୍ଷେତ୍ରର ପରସ୍ପର ପରିପୂରକ ଭୂମିକାକୁ ଉଲ୍ଲେଖ କରି ବିବୃତ୍ତିରେ କୁହାଯାଇଛି ଯେ, ଅଷ୍ଟ୍ରେଲିଆ ଭାରତକୁ ତରଳୀକୃତ ପ୍ରାକୃତିକ ଗ୍ୟାସ (LNG)ର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ଓ ଭାରତ ଅଷ୍ଟ୍ରେଲିଆକୁ ତରଳ ଇନ୍ଧନ ଏବଂ ଅନ୍ୟାନ୍ୟ ଡାଉନଷ୍ଟ୍ରିମ୍ ପେଟ୍ରୋଲିୟମ ଉତ୍ପାଦର ଏକ ପ୍ରମୁଖ ଯୋଗାଣକାରୀ। ତେଣୁ ଉଭୟ ଦେଶ ଉର୍ଜା ପଦାର୍ଥର ନିରବଚ୍ଛିନ୍ନ ଯୋଗାଣ ଜାରି ରଖିବା ସହିତ ପରସ୍ପର ଉର୍ଜା ବାଣିଜ୍ୟକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ