ଭୁବନେଶ୍ବର: ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ପାଇଁ ଅଡୁଆ ବଢ଼ିଛି । ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଉଠାଇବା ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋର୍ଟ ସୁଜିତଙ୍କ ବିରୋଧରେ ଗିରଫ ବିହୀନ ଜାମିନ ପରୱାନା (NBW) ଜାରି କରିଛନ୍ତି । ସୁଜିତ ଗିରଫଦାରୀରୁ ବର୍ତ୍ତିବା ପାଇଁ ଫେରାର ଥିବାବେଳେ ତାଙ୍କୁ ଗିରଫ କରିବାକୁ ବୁଧବାର କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।
ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଟିମ୍ ଭୁବନେଶ୍ୱର ଉପକଣ୍ଠ ଉତ୍ତରା ନିକଟସ୍ଥତ ଏକ ଆପାର୍ଟମେଣ୍ଟରେ ଥିବା ସୁଜିଙ୍କ ବାସଭବନରେ ଚଢ଼ାଉ କରିଥିଲା । ହେଲେ ସୁଜିତଙ୍କୁ ନ ପାଇ ପୋଲିସ ଟିମ୍ ଫେରିଆସିଛି । ଏପରିକି ପରିବାର ସଦସ୍ୟମାନେ ମଧ୍ୟ ସୁଜିତଙ୍କ ବିଷୟରେ କୌଣସି ତଥ୍ୟ ଦେଇନଥିଲେ । ତେବେ ସୁଜିତଙ୍କୁ ଧରିବାକୁ ଟିମ୍ ଆଉ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିବାକୁ ଯୋଜନା କରିଛି ।
ଯୌନ ନିର୍ଯାତନା ଅଭିଯୋଗରେ ସୁଜିତଙ୍କ ନାମରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ମାମଲା ରୁଜୁ କରି ତଦନ୍ତ କରୁଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁଜିତ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ନିକଟରେ କିଛିଦିନ ତଳେ ହାଜର ହୋଇଥିଲେ । ତେବେ ପୂର୍ବରୁ ସୁଜିତଙ୍କ ଗିରଫଦାରୀ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଥିଲେ । ତେବେ ଏହି ମାମଲାରେ CAW & CW ଟିମ୍ ତଥ୍ୟ ପ୍ରମାଣ ସମ୍ବଳିତ ଚାର୍ଜଶିଟ ଦାଖଲ କରିଥିଲା । ଏହାପରେ ହାଇକୋର୍ଟ ରହିତାଦେଶ ଉଠାଇଦେବାରୁ ସୁଜିତଙ୍କ ପାଇଁ ଅଡୁଆ ବଢ଼ିଛି ।




