
କଟକ: ସ୍ତ୍ରୀଙ୍କୁ ହତ୍ୟା କରିବା ଏବଂ ନାବାଳିକା ଝିଅକୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜିତ କୁମାର ଦାସଙ୍କୁ ମୃତ୍ୟୁଦଣ୍ଡ ଆଦେଶକୁ ପରିବର୍ତ୍ତନ କରି 35 ବର୍ଷ ପାଇଁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିସହିତ ଆସାମୀାଙ୍କ ଦୁଇ ନାବାଳକ ପିଲାଙ୍କ ପାଇଁ ପ୍ରତ୍ୟେକଙ୍କୁ 10 ଲକ୍ଷ ଟଙ୍କା ଅତିରିକ୍ତ କ୍ଷତିପୂରଣ ଦେବାକୁ ଓଡ଼ିଶା ହାଇକୋର୍ଟ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
2022ରେ ଭୁବନେଶ୍ବର ଭରତପୁର ଥାନା ଅନ୍ତର୍ଗତ ଘାଟିକିଆଠାରେ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା ଏବଂ 6 ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ ସଞ୍ଜିତ କୁମାର ଦାସ ଓରଫ ବାଙ୍କୁ । ଏହି ମାମଲାରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସର୍ବନିମ୍ନ 35 ବର୍ଷ ଜେଲଦଣ୍ଡ ଭୋଗ ନ କରିବା ପର୍ଯ୍ୟନ୍ତ ଦଣ୍ଡ କୋହଳ ପ୍ରସଂଗରେ ବିଚାର ପାଇଁ ଆସାମୀ ଯୋଗ୍ୟ ହେବେନାହିଁ । ଏହା ଅତିରୁ ଅତି ବିରଳ ବର୍ଗର ମାମଲାରେ ଆସୁ ନଥିବାରୁ ହାଇକୋର୍ଟ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନକୁ ପରିବର୍ତ୍ତନ କରିଛନ୍ତି । ହାଇକୋର୍ଟ ବିଚାରପତି ଜଷ୍ଟିସ ମାନସ ରଞ୍ଜନ ପାଠକ ଏବଂ ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।2024ରେ ଭୁବନେଶ୍ବର ଦ୍ବିତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ସଞ୍ଜିତକୁ ଆଇପିସିର ଦଫା ୩୦୨, ୩୦୭, ୩୨୬ ଓ ୩୨୪ରେ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରଦାନ କରିଥିବା ବେଳେ ହାଇକୋର୍ଟ ଦଫା ୩୨୬ ଓ ୩୨୪ରେ ପ୍ରଦାନ କରାଯାଇଥିବା ଦଣ୍ଡକୁ ରଦ୍ଦ କରିଛନ୍ତି । ଅନ୍ୟପକ୍ଷରେ ଦଫା ୩୦୨ ଓ ୩୦୭ରେ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ ଦୌରା ଜଜ ଅଦାଲତ 2024 ଜୁଲାଇ 30ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି । ତେବେ ହାଇକୋର୍ଟ, ତଳକୋର୍ଟଙ୍କ ମୃତ୍ୟୁଦଣ୍ଡ ଆଦେଶକୁ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ହତ୍ୟାର ଶିକାର ହୋଇଥିବା ପୀଡ଼ିତାଙ୍କ 10 ବର୍ଷ ଏବଂ 4 ବର୍ଷର ଦୁଇ ପିଲାଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।




