
ଭୁବନେଶ୍ୱର: ରାଜ୍ୟ ରାଜନୀତି ପାଇଁ ଏକ ଦୁଃଖଦ ଖବର ଆସିଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡମ୍ବୁର ମାଝୀଙ୍କର ପରଲୋକ ହୋଇଛି । ନବରଙ୍ଗପୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ଆଇସିୟୁରେ ଆଡମିଟ୍ ହୋଇଥିଲେ । ଆଜି ସକାଳେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ୧୯୬୭ରୁ ୧୯୯୦ ମଧ୍ୟରେ ସେ ପରିବହନ, ଅର୍ଥ ଓ ସଂସ୍କୃତି ମନ୍ତ୍ରୀ ଭାବରେ ୪ ଥର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଦାୟିତ୍ବ ନିର୍ବାହ କରିଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।
ଡମ୍ବୁର ମାଝୀଙ୍କର ଦୀର୍ଘ ରାଜନୈତିକ କ୍ୟାରିୟର ଥିଲା । ଡାବୁଗାଁ ତତ୍କାଳନୀ କୋଡିଙ୍ଗ। ନିର୍ବାଚନ ମଣ୍ଡଳୀରୁ ପ୍ରତି ନିଧିତ୍ବ କରି ଓଡ଼ିଶା ବିଧାନସଭାକୁ ନିର୍ବ।ଚିତ ହୋଇଥିଲେ। ଡମ୍ବୁର ମାଝୀ ସ୍ବତନ୍ତ୍ର ଦଳ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ବିଜୁ ଜନତା ଦଳ ଓ ବିଜେପି ସହିତ ଜଡ଼ିତ ଥିଲେ । ୧୯୬୭ ଏବଂ ୧୯୯୦ ମଧ୍ୟରେ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୬୭ରେ ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ସ୍ୱତନ୍ତ୍ର ଦଳରୁ ନିର୍ବାଚନ ଲଢିଥିଲେ । ସେ ୧୯୭୧ ମସିହାରେ ପୁଣି ଥରେ ସ୍ୱତନ୍ତ୍ର ପାର୍ଟିର ପ୍ରତିନିଧିତ୍ୱ କରି ଆସନ ବଜାୟ ରଖିଥିଲେ। ୧୯୮୦ ମସିହାରେ, ସେ ଭାରତୀୟ ଜାତୀୟ କଂଗ୍ରେସ (ଆଇ) ଟିକେଟରେ କୋଡିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ, ସେ ଭାରତୀୟ ଜାତୀୟ କଂଗ୍ରେସକୁ ପ୍ରତିନିଧିତ୍ୱ କରି ଡାବୁଗାମରୁ ବିଧାନସଭାକୁ ଫେରି ଆସିଥିଲେ। ୨୦୦୯ରେ ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ମାଝୀ ହାରିଥିଲେ । ୨୦୧୮ ଅକ୍ଟୋବରରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।




