
ଭୁବନେଶ୍ୱର: ୧୩୭ ତମ ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି । ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ସହ ଜଙ୍ଗଲ ସଂରକ୍ଷଣ କରି ପ୍ରଶଂସା ସାଉଁଟିଛନ୍ତି ମୈଥିଲି ଭୁଏ । ମୈଥିଲିଙ୍କର ଏହି କାର୍ଯ୍ୟରେ ଏବେ ପ୍ରାୟ ୬୦ ମହିଳା ସାମିଲ ହୋଇଛନ୍ତି ।
ମୈଥିଲି ଭୁଏଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୈଥିଲି ଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାଙ୍କୁ ପ୍ରେରଣା ଦେଇଛି । ଆଜି ୬୦ରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣରେ ସାମିଲ ହୋଇଛନ୍ତି । କିଏ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦାୟିତ୍ୱ ତୁଲାଇଛନ୍ତି ତ କିଏ ଘାସ ମୈଦାନରେ ବିକାଶ ସହ ଯୋଡି ହୋଇଛନ୍ତି । କିଛି ମହିଳା ଇକୋ-ଟୁରିଜିମ୍ ଆକ୍ଟିଭିଟିରେ ଯୋଗଦାନ ଦେଇଛନ୍ତି । ମୈଥିଲି ଏବଂ ତାଙ୍କ ପରିବାରର ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଛି । ହେଲେ ମୈଥିଲି ଜୀ ଡେବ୍ରିଗଡ଼ ଇକୋ-ଟୁରିଜିମ୍ ସହ ଯୋଡି ହୋଇ ରହିଛନ୍ତି । ଏଠାରେ ଜଙ୍ଗଲ ସହ ତାଙ୍କର ସମ୍ପର୍କ ନୂଆ ଦିଗରେ ପରିବର୍ତ୍ତନ ହୋଇଛି । ଏବେ ଜଙ୍ଗଲ ସଂରକ୍ଷଣ ତାଙ୍କ ଜୀବିକାର ମାଧ୍ୟମ ହୋଇଛି ।




